ଇସଲାମାବାଦ:

ପାକିସ୍ତାନ ମାଟିରେ ଆତଙ୍କବାଦୀ ସଂଗଠନମାନଙ୍କୁ ଆଶ୍ରୟ ମିଳୁଥିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି। ଲସ୍କର-ଇ-ତୈବା ସଂଗଠନର ଆତଙ୍କବାଦୀ ଅବଦୁଲ ରଉଫଙ୍କ ଏହି ଭିଡିଓରେ ଭାରତ ବିରୋଧରେ ଖୋଲାମେଳା ଘୃଣା ଓ ହିଂସାକୁ ଉସକାଇବା ସହ ପରମାଣୁ ବୋମା ନେଇ ଧମକ ଦିଆଯାଇଛି।

ହାଫିଜ୍ ସଇଦଙ୍କ ଘନିଷ୍ଠ ସହଯୋଗୀ ବୋଲି ଚିହ୍ନଟ ହେଉଥିବା ଅବଦୁଲ ରଉଫ ଏହି ଭିଡିଓରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁ ରହିବ ବୋଲି ଦାବି କରିଥିବା ସହ ଜମ୍ମୁ-କଶ୍ମୀରର ସ୍ଥିତି ଓ ‘ଅପରେସନ ସିନ୍ଦୂର’ ଉପରେ ମଧ୍ୟ ଉତ୍ତେଜନାମୂଳକ ମନ୍ତବ୍ୟ ରଖିଛି।

ଏହି ଭିଡିଓଟି OsintTV ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରାଯାଇଥିବା ଜଣାପଡ଼ିଛି। ଭିଡିଓରେ ରଉଫ କହିଛି ଯେ କାଶ୍ମୀର ବିବାଦ ଶେଷ ହୋଇଯାଇଛି ବୋଲି ଯେ ଦାବି କରାଯାଉଛି, ତାହା ସତ୍ୟ ନୁହେଁ ଏବଂ ସଂଘର୍ଷ ପୂର୍ବବତ୍ ଚାଲିଛି। ସେ ‘ଗଜୱା-ଏ-ହିନ୍ଦ୍’ ସଫଳ ହେବ ବୋଲି ମଧ୍ୟ ଦାବି କରିଛି।

ଭିଡିଓରେ ଲସ୍କର-ଇ-ତୈବାର ସହ-ପ୍ରତିଷ୍ଠାତା ଅବଦୁଲ ରେହମାନ ମକ୍କିଙ୍କ ଉଲ୍ଲେଖ କରି ଦିଲ୍ଲୀକୁ ‘ଦୁହ୍ଲନ’ କରିବା ଭଳି ଉତ୍ତେଜକ ବକ୍ତବ୍ୟ ପୁନରାବୃତ୍ତି କରାଯାଇଛି। ସେହିପରି ରଉଫ ଭାରତର ସାମରିକ ଓ ପ୍ରତିରକ୍ଷା ପ୍ରଣାଳୀ—ରାଫେଲ, ଏସ-୪୦୦ ଓ ଡ୍ରୋନ୍ ପ୍ରଯୁକ୍ତି—ନେଇ ଅପମାନଜନକ ଓ ଅବାନ୍ତର ମନ୍ତବ୍ୟ ଦେଇଛି।

ପରମାଣୁ ଶକ୍ତିକୁ ନେଇ ଧମକ

ଭିଡିଓରେ ଅବଦୁଲ ରଉଫ ଦାବି କରିଛି ଯେ ୫୮ଟି ଇସଲାମିକ ଦେଶ ମଧ୍ୟରୁ କେବଳ ପାକିସ୍ତାନ ପାଖରେ ପରମାଣୁ ଶକ୍ତି ରହିଛି ଏବଂ ସେହି ଶକ୍ତିକୁ ଭାରତ ବିରୋଧରେ ଧମକ ରୂପେ ଉପଯୋଗ କରିଛି। ଏହି ଭିଡିଓ ପାକିସ୍ତାନରେ ଆତଙ୍କବାଦୀ ନେଟୱାର୍କ ଏବେ ବି ସକ୍ରିୟ ଥିବା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।