ନୂଆଦିଲ୍ଲୀ, ୧୫/୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ, OTET ପେପର–୨ ପରୀକ୍ଷାର ସମୟସୂଚୀରେ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ଅପରାହ୍ନ ୨ଟାରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପେପର–୨ ପରୀକ୍ଷା ହେବାକୁ ଥିଲା। ବର୍ତ୍ତମାନ ଏହାକୁ ଅପରାହ୍ନ ୧ଟା ୩୦ ମିନିଟ୍ରୁ ୪ଟା ପର୍ଯ୍ୟନ୍ତ କରାଯାଇଛି। ତେବେ OTET ପେପର–୧ ପରୀକ୍ଷା ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେପର–୧ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ପରିଷଦ ସ୍ପଷ୍ଟ କରିଛି ଯେ, ଉଭୟ ପେପରରେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ୫୦ ମିନିଟ୍ ଅତିରିକ୍ତ ସମୟ ପ୍ରଦାନ କରାଯିବ।

ଏହି OTET ପରୀକ୍ଷା ପାଇଁ ସାରା ରାଜ୍ୟର ୪୫୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧,୬୦,୩୭୯ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ସେଥିରୁ ପେପର–୧ ପାଇଁ ୪୭,୭୨୦ ଜଣ ଏବଂ ପେପର–୨ ପାଇଁ ୧,୧୨,୬୫୯ ଜଣ ପ୍ରାର୍ଥୀ ରହିଛନ୍ତି।

ପରୀକ୍ଷାକୁ ସୁଚାରୁ ଓ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ବୋର୍ଡ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ନିଆଯାଇଛି। ରାଜ୍ୟର ୩୦ଟି ଜିଲ୍ଲାକୁ ୪୦ଟି ଭିନ୍ନ ମାର୍ଗ ମାଧ୍ୟମରେ ପ୍ରଶ୍ନପତ୍ର ଓ OMR ସିଟ୍ ପଠାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି।