ଦିଗପହଣ୍ଡି, ୧୯।୧୨: ଗଞ୍ଜାମ ଜିଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମରେ ହାତୀ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଗ୍ରାମବାସୀ ଓ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ନରସିଂହଗଡ଼ ଗ୍ରାମ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଦିଗପହଣ୍ଡି ବନ ବିଭାଗର ସଂଯୁକ୍ତ ଉଦ୍ୟମରେ ହୋଇଥିଲା।

ବିଦ୍ୟାଳୟ ପ୍ରଧାନଶିକ୍ଷକ ଟୁକୁନା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଯୋଗଦେଇ କହିଥିଲେ ଯେ, ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ରକ୍ଷା କରିବା କେବେବି ସମ୍ଭବ ନୁହେଁ। ଜୀବଜନ୍ତୁ, କୀଟପତଙ୍ଗ ଓ ପ୍ରକୃତିର ସୁରକ୍ଷା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ସିଆରସିସି ଆର. ଦେବହରି ରଣା, ପାଟପୁର ବିଦ୍ୟୁତ ବିଭାଗ ଅଧିକାରୀ ଇଂ. ଦୀପକ ବାଳିଆରସିଂ, ପାଟପୁର ଫରେଷ୍ଟର ସନ୍ତୋଷ ସାହୁ ଓ ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ ଉପସ୍ଥିତ ରହି ଜୀବଜନ୍ତୁ ସୁରକ୍ଷା ପ୍ରତି ଅବହେଳା କଲେ ଆଗାମୀ ଦିନରେ ମାନବ ସମାଜର ଅସ୍ତିତ୍ୱ ମଧ୍ୟ ସଙ୍କଟରେ ପଡ଼ିବ ବୋଲି ସତର୍କ କରିଥିଲେ।

ବନବିଭାଗ ଅଧିକାରୀମାନେ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବନ୍ୟପ୍ରାଣୀଙ୍କୁ ନେଇ ସତର୍କ ରହିବା ସହ ସୁରକ୍ଷା ନିୟମ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମକୁ ଶିକ୍ଷକ ନାରାୟଣ ଦୋରା ସୁଚାରୁ ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ମଲ୍ଲିକଙ୍କ ସହ ସୋମନାଥ ପ୍ରଧାନ, ହିମାଂଶୁ ତ୍ରିପାଠୀ ଓ ବିକ୍ରମ କେଶରୀ ସ୍ବାଇଁ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ।