ନୂଆଦିଲ୍ଲୀ, ୧୯।୧୨:

ଟ୍ରେନ୍‌ ଯାତ୍ରା ସମୟରେ ୱେଟିଂ ଲିଷ୍ଟ କିମ୍ବା RAC ଟିକେଟ୍‌ ନେଇ ଚିନ୍ତା କରୁଥିବା ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଏକ ସ୍ବସ୍ତିକର ପଦକ୍ଷେପ ନେଇଛି। ରିଜର୍ଭେସନ ଚାର୍ଟ ପ୍ରସ୍ତୁତି ସମୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି, ଯାହା ଫଳରେ ଯାତ୍ରୀମାନେ ପୂର୍ବରୁ ନିଜ ଟିକେଟ୍‌ ସ୍ଥିତି ସ୍ପଷ୍ଟ ଭାବେ ଜାଣିପାରିବେ।

ରେଳ ମନ୍ତ୍ରଣାଳୟ କହିଛି ଯେ, ବିଶେଷକରି ଦୂରଦୂରାନ୍ତ ଯାତ୍ରାକାରୀମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଟିକେଟ୍‌ କନଫର୍ମ ହେଲା କି ନାହିଁ ଜାଣିନଥାଇ ଅସୁବିଧାରେ ପଡ଼ୁଥିଲେ। ଏହି ସମସ୍ୟା ଦୂର କରିବାକୁ ଏବେ ପ୍ରଥମ ସଂରକ୍ଷଣ ଚାର୍ଟ ଆଗୁଆ ପ୍ରସ୍ତୁତ କରାଯିବ।

ନୂଆ ଚାର୍ଟ ପ୍ରସ୍ତୁତି ସମୟସୂଚୀ:

  • ସକାଳ ୫ଟା ୧ମିନିଟ୍‌ରୁ ଅପରାହ୍ନ ୨ଟା ମଧ୍ୟରେ ଛାଡ଼ୁଥିବା ଟ୍ରେନ୍‌ ପାଇଁ ପ୍ରଥମ ଚାର୍ଟ ପୂର୍ବଦିନ ରାତି ୮ଟା ସୁଦ୍ଧା ପ୍ରସ୍ତୁତ ହେବ।
  • ଅପରାହ୍ନ ୨ଟା ୧ମିନିଟ୍‌ରୁ ରାତି ୧୧ଟା ୫୯ମିନିଟ୍‌ ମଧ୍ୟରେ ଛାଡ଼ୁଥିବା ଟ୍ରେନ୍‌ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ।
  • ମଧ୍ୟରାତ୍ରିରୁ ସକାଳ ୫ଟା ମଧ୍ୟରେ ଚାଲୁଥିବା ଟ୍ରେନ୍‌ ପାଇଁ ପ୍ରଥମ ଚାର୍ଟ ଅତି କମରେ ୧୦ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯିବ।

ଏହି ପରିବର୍ତ୍ତନରେ ୱେଟିଂ ଲିଷ୍ଟ ଓ RAC ଟିକେଟ୍‌ ଧାରୀ ଯାତ୍ରୀମାନେ ସବୁଠାରୁ ଅଧିକ ଲାଭ ପାଇବେ। ପୂର୍ବରୁ ଯାତ୍ରୀମାନେ ଷ୍ଟେସନ୍‌ ପହଞ୍ଚିବା ପରେ ମାତ୍ର ଟିକେଟ୍‌ ସ୍ଥିତି ଜାଣିପାରୁଥିଲେ, କିନ୍ତୁ ଏବେ ସେମାନେ ପୂର୍ବରୁ ଯାତ୍ରା କରିବେ କି ନାହିଁ ବା ବିକଳ୍ପ ବ୍ୟବସ୍ଥା କରିବେ କି ନାହିଁ—ତାହା ନିଷ୍ପତ୍ତି ନେଇପାରିବେ।

ରେଳବାଇ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୮୭ ପ୍ରତିଶତରୁ ଅଧିକ ସଂରକ୍ଷିତ ଟିକେଟ୍‌ IRCTC ୱେବସାଇଟ୍‌ କିମ୍ବା ଆପ୍‌ ମାଧ୍ୟମରେ ଇ-ଟିକେଟ୍‌ ଭାବେ ବୁକ୍‌ ହେଉଛି। ତେଣୁ ଯାତ୍ରୀମାନଙ୍କୁ ଚାର୍ଟ ପ୍ରସ୍ତୁତି ସମୟ ଉପରେ ଧ୍ୟାନ ଦେଇ ପୂର୍ବରୁ ନିଜ ଟିକେଟ୍‌ ସ୍ଥିତି ଯାଞ୍ଚ କରିବାକୁ ରେଳବାଇ ପରାମର୍ଶ ଦେଇଛି।

ରେଳବାଇର ଏହି ନୂଆ ପଦକ୍ଷେପ ଯାତ୍ରୀଙ୍କ ସମୟ, ଟଙ୍କା ଓ ଅନାବଶ୍ୟକ ଚାପ କମାଇ ଯାତ୍ରା ଅଭିଜ୍ଞତାକୁ ଅଧିକ ସୁବିଧାଜନକ କରିବ ବୋଲି ଆଶା କରାଯାଉଛି।