ନୂଆଦିଲ୍ଲୀ, ୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହା ସେବନ କରିବାରୁ କ୍ୟାନ୍ସର ହେବାର କୌଣସି ପ୍ରମାଣ ନାହିଁ ବୋଲି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି। ଅଣ୍ଡାରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚାଲୁଥିବା ଚର୍ଚ୍ଚାକୁ FSSAI ‘ଭ୍ରାମକ, ଅନାଧାର ଓ ବିଜ୍ଞାନବିହୀନ’ ବୋଲି ଖଣ୍ଡନ କରିଛି।
ନିକଟରେ ‘ଏଗୋଜ୍’ (Eggoz) ନାମକ ଏକ ବ୍ରାଣ୍ଡର ଅଣ୍ଡାରେ ‘ନାଇଟ୍ରୋଫୁରାନ୍’ ନାମକ ନିଷିଦ୍ଧ ଆଣ୍ଟିବାୟୋଟିକର ଅଂଶ ମିଳିଥିବା ନେଇ କିଛି ମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହୋଇଥିଲା। ଏହାକୁ ନେଇ ଅଣ୍ଡା ଖାଇଲେ କ୍ୟାନ୍ସର ହେବାର ଆଶଙ୍କା ଥିବା ଦାବି କରାଯାଇଥିଲା। ତେବେ FSSAI କହିଛି ଯେ, ଏପର୍ଯ୍ୟନ୍ତ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥା ଅଣ୍ଡା ସେବନ ସହ କ୍ୟାନ୍ସରର ସିଧାସଳଖ ସମ୍ପର୍କ ଥିବା ପ୍ରମାଣ ଦେଇନାହାନ୍ତି।
FSSAI ଜଣାଇଛି ଯେ ଖାଦ୍ୟ ସୁରକ୍ଷା ନିୟମାବଳୀ–୨୦୧୧ ଅନୁଯାୟୀ କୁକୁଡ଼ା ଚାଷ କିମ୍ବା ସେମାନଙ୍କ ଖାଦ୍ୟରେ ନାଇଟ୍ରୋଫୁରାନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ। ଅଣ୍ଡାରେ ଏହାର ମେଟାବୋଲାଇଟ୍ସ ପାଇଁ 1.0 μg/kg ସୀମା ନିର୍ଦ୍ଧାରିତ, ଯାହା ଉନ୍ନତ ଲାବୋରେଟୋରୀ ପରୀକ୍ଷଣରେ ଚିହ୍ନଟ ହେବାକୁ ସମ୍ଭବ ସର୍ବନିମ୍ନ ସ୍ତର ମାତ୍ର। ଏହି ସୀମା ତଳେ ସାମାନ୍ୟ ଅବଶେଷ ମିଳିବା ଦ୍ୱାରା ଖାଦ୍ୟ ଅସୁରକ୍ଷିତ ହୋଇଯାଏ ନାହିଁ। ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟ ସମାନ ମାନକ ଅନୁସରଣ କରୁଛନ୍ତି।
FSSAI ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ରେ ସାମାନ୍ୟ ଅଂଶ ମିଳିଲେ, ସାରା ଦେଶର ଅଣ୍ଡା ଯୋଗାଣକୁ ଅସୁରକ୍ଷିତ ବୋଲି କହିବା ବୈଜ୍ଞାନିକ ଭାବେ ଭୁଲ। ତଥାପି, ଗ୍ରାହକ ସୁରକ୍ଷା ଓ ପାରଦର୍ଶିତା ଦୃଷ୍ଟିରୁ ସାରା ଦେଶରେ ବ୍ରାଣ୍ଡେଡ୍ ଏବଂ ଅଣ-ବ୍ରାଣ୍ଡେଡ୍ ଅଣ୍ଡାର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ରାଜ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
FSSAI କହିଛି ଯେ ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ ଓ ଗୁଜବରେ ବିଶ୍ୱାସ ନକରି ବୈଜ୍ଞାନିକ ତଥ୍ୟ ଉପରେ ଭରସା ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।





