ଭୁବନେଶ୍ୱର, ୨୨।୧୨: ରାଜ୍ୟର ଅର୍ଥନୈତିକ ପରିଚାଳନାକୁ ନେଇ ଓଡ଼ିଶାର ଶାସକ ଭାଜପା ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ମୋହନ ସରକାରଙ୍କ ଅମଳରେ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇବା ସହ ବେକାରୀ ସମସ୍ୟା ଭୟାବହ ରୂପ ନେଇଥିବା ବିଜେଡି ଦାବି କରିଛି।
ବିଜେଡି କହିଛି, ‘ଡବଲ ଇଞ୍ଜିନ’ ସରକାର ଆସିଲେ ‘ଡବଲ ବିକାଶ’ ହେବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ବାସ୍ତବତା ତାହାର ପୂର୍ଣ୍ଣ ବିପରୀତ। ରାଜ୍ୟର ମୋଟ ଘରୋଇ ଉତ୍ପାଦ (GSDP) ଅଭିବୃଦ୍ଧି ହାର ୯.୬ ପ୍ରତିଶତରୁ ଖସି ୭.୨ ପ୍ରତିଶତକୁ ପହଞ୍ଚିଛି। ସେହିପରି ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହାର ମଧ୍ୟ ୮.୭ ପ୍ରତିଶତରୁ କମି ୬.୧ ପ୍ରତିଶତକୁ ଅବତରିଛି।
ଦଳର ଅଭିଯୋଗ ଅନୁସାରେ, ରାଜ୍ୟରେ ବେକାରୀ ହାର ବୃଦ୍ଧି ପାଇ ୩.୯ ପ୍ରତିଶତରେ ପହଞ୍ଚିଛି। ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଏହାସହ ବିଜେଡି କହିଛି ଯେ, ଭାଜପା ସରକାରଙ୍କ ନୀତି ଓ ଅନିଶ୍ଚିତତା ଯୋଗୁଁ ବଡ଼ ବଡ଼ ଶିଳ୍ପ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛନ୍ତି।
ଦଳ ଉଦାହରଣ ଦେଇ କହିଛି ଯେ, JSW ଗ୍ରୁପ୍ର ୪୦ ହଜାର କୋଟି ଟଙ୍କାର EV ବ୍ୟାଟେରୀ ପ୍ରକଳ୍ପ ମହାରାଷ୍ଟ୍ରକୁ ଚାଲିଯାଇଛି। ସେହିପରି ଆରସେଲର ମିତ୍ତଲ ନିପନ ଷ୍ଟିଲ୍ର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ରାପଡ଼ାରୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର ହୋଇଛି। ସେମିକଣ୍ଡକ୍ଟର ଓ ସୋଲାର ଶକ୍ତି ସଂପର୍କିତ ପ୍ରକଳ୍ପଗୁଡ଼ିକ ମଧ୍ୟ ଓଡ଼ିଶା ହାତରୁ ଖସିଯାଇଥିବା ଦଳ ଦାବି କରିଛି।
ବିଜେଡି ଆହୁରି କହିଛି ଯେ, କେନ୍ଦ୍ର ସରକାର ଠାରୁ ରାଜ୍ୟକୁ ମିଳୁଥିବା ଆର୍ଥିକ ସହାୟତାରେ ୧୮.୧୯ ପ୍ରତିଶତ ହ୍ରାସ ଘଟିଛି, ଯାହା ରାଜ୍ୟର ବିକାଶ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଉଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ‘ମେକ୍ ଇନ୍ ଓଡ଼ିଶା’ ମାଧ୍ୟମରେ ଯେଉଁ ପୁଞ୍ଜିନିବେଶ-ଅନୁକୂଳ ପରିବେଶ ତିଆରି ହୋଇଥିଲା, ତାହା ଏବେ ଧ୍ୱଂସ ହୋଇଯାଇଛି ବୋଲି ବିଜେଡି ଅଭିଯୋଗ କରିଛି। ସରକାର କେବଳ ପୋଷ୍ଟର, ସ୍ଲୋଗାନ ଓ ପ୍ରଚାରରେ ସୀମିତ ନ ରହି ବାସ୍ତବ କ୍ଷେତ୍ରରେ କାମ କରନ୍ତୁ ବୋଲି ଦଳ ପକ୍ଷରୁ ଆହ୍ୱାନ କରାଯାଇଛି।





