ରାଉରକେଲା: ବଣଜଙ୍ଗଲ ଘେରା ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷରୁ ବର୍ଷ ଧରି ଚାଲିଥିବା ହାତୀ–ମଣିଷ ସଂଘର୍ଷ ଏବେ ଆହୁରି ଗୁରୁତର ଆକାର ନେଇଛି। ଜଙ୍ଗଲ ଛାଡ଼ି ହାତୀପଲ ଜନବସତି ଓ ଗାଁମୁହାଁ ହେଉଥିବାରୁ ଶତାଧିକ ଗ୍ରାମରେ ଭୟ ଓ ଅନିଶ୍ଚିତତାର ପରିବେଶ ସୃଷ୍ଟି ହୋଇଛି। ହାତୀପଲକୁ ଘଉଡ଼ାଇବା ପାଇଁ ବନବିଭାଗ ଓ ଗ୍ରାମବାସୀ ନାନା ପ୍ରୟାସ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍‌ ସମାଧାନ ମିଳିପାରିନି।

ରାତି ଅନ୍ଧାରେ ହାତୀପଲ ଗାଁଭିତରକୁ ପଶି ଘରବାଡ଼ି ଭାଙ୍ଗୁଛନ୍ତି, ଧାନ ଓ ପନିପରିବା ଫସଲ ଖାଇବା ସହ ସମ୍ପୂର୍ଣ୍ଣ ଉଜାଡି ଦେଉଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ବନବିଭାଗ ପକ୍ଷରୁ କେବଳ ସୀମିତ ସହାୟତା ମିଳୁଥିବାବେଳେ, ହାତୀପଲକୁ ଜନବସତିମୁହାଁ ନ ହେବା ପାଇଁ ଦୀର୍ଘମିଆଦୀ ଯୋଜନାର ଅଭାବ ଥିବା ଅଭିଯୋଗ ହେଉଛି।

ରାତି ଭରି ଜାଗ୍ରତ ଗ୍ରାମବାସୀ

ହାତୀ ଭୟରେ ଜଙ୍ଗଲ ସମୀପ ଗାଁଗୁଡ଼ିକର ଲୋକେ ବର୍ଷର ଅଧିକାଂଶ ରାତି ନିଦ୍ରାହୀନ ଅବସ୍ଥାରେ କାଟୁଛନ୍ତି। କିଛି ଗ୍ରାମରେ ଲୋକେ ପାଳିକରି ରାତିରେ ପହରା ଦେଉଛନ୍ତି, ତ ଆଉ କିଛି ପରିବାର ଜୀବନ ରକ୍ଷା ପାଇଁ ଘରଛାଡ଼ି ଅନ୍ୟ ଗାଁରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଝାଳବୁହା ପରିଶ୍ରମରେ ଚାଷ କରିଥିବା ଚାଷୀ ଅମଳ ସମୟରେ ଫସଲ ନଷ୍ଟ ହେଉଥିବାରୁ ନିରାଶ ହୋଇପଡ଼ିଛନ୍ତି।

ଲାଠିକଟା ବ୍ଲକ୍‌ର ରୁଟୁକୁପେଡ଼ି, ଫିକଡ଼ଚୁନ୍ଦି, ବଡ଼ଦଲକି, ଡୋଲାକୁଦର, ପଟବେଡ଼ା, ବୁଢ଼ୀକୁଦର, ମୁଣ୍ଡାଯୋର ଓ ନୂଆଗାଁ ଭଳି ଅଞ୍ଚଳରେ ହାତୀ ଭୟରେ ଅନେକ ଚାଷୀ ଚାଷ କାମ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ତିନି ବର୍ଷରେ ଭୟାବହ କ୍ଷତି

ବନବିଭାଗ ତଥ୍ୟ ଅନୁଯାୟୀ, ଗତ ତିନି ବର୍ଷରେ ରାଉରକେଲା ବନଖଣ୍ଡ ଅଞ୍ଚଳର ୧୦୫୩ଟି ଗାଁ ଓ ବସ୍ତି ହାତୀପଲ ଦ୍ୱାରା ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ୫୦୯ଟି ଘର ଭାଙ୍ଗି ଯାଇଥିବାବେଳେ ୨୮ରୁ ଅଧିକ ପରିବାର ସମ୍ପୂର୍ଣ୍ଣ ଗୃହଶୂନ୍ୟ ହୋଇଛନ୍ତି।

ମୋଟ ୧୧୩୨.୪୧ ଏକର ଜମିର ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। ଏଥିରେ ୯୧୬.୭୧୯ ଏକର ଧାନ ଓ ୨୧୨.୬୮୧ ଏକର ପନିପରିବା ଫସଲ ସାମିଲ। ବର୍ଷଭିତ୍ତିକ ତଥ୍ୟ ଅନୁଯାୟୀ, ୨୦୨୩ରେ ୧୭୭, ୨୦୨୪ରେ ୨୩୫ ଓ ୨୦୨୫ରେ ୯୭ଟି ଘର ହାତୀପଲ ଭାଙ୍ଗିଛନ୍ତି।

ଫସଲ କ୍ଷତି ଦିଗରୁ ୨୦୨୩ରେ ୪୦୧.୦୫୭ ଏକର, ୨୦୨୪ରେ ୬୧୪.୧୧୧ ଏକର ଏବଂ ୨୦୨୫ ନଭେମ୍ବର ଶେଷସୁଦ୍ଧା ୧୧୭.୨୩୨ ଏକର ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି।

ହାତୀ–ମଣିଷ ସଂଘର୍ଷ ଏବେ ସୁନ୍ଦରଗଡ଼ ପାଇଁ ଗଭୀର ସମସ୍ୟା ହୋଇଉଠିଥିବାବେଳେ, ସ୍ଥାୟୀ ସମାଧାନ ଓ ପ୍ରଭାବିତ ଲୋକଙ୍କ ପାଇଁ ଦୃଢ଼ ପୁନର୍ବାସ ଯୋଜନା ଦାବି ଜୋର ଧରୁଛି।