ଚଣ୍ଡିଗଡ଼: ଦେଶରେ ଦିନକୁ ଦିନ ବଢ଼ୁଥିବା ଅନଲାଇନ ଠକେଇ ଏବେ ଗୁରୁତର ଆକାର ନେଇଛି। ସାଇବର ଅପରାଧର କବଳରେ ସାଧାରଣ ଲୋକଙ୍କ ସହିତ ସହିତ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ପଡ଼ୁଥିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବ ପୁଲିସର ପୂର୍ବତନ ଇନ୍ସପେକ୍ଟର ଜେନେରାଲ (ଆଇଜି) ଅମର ସିଂହ ଚହଲ ପଟିଆଲାରେ ତାଙ୍କ ନିଜ ଘରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ସେ ନିଜେ ନିଜକୁ ଗୁଳି ଚଳାଇଥିବା ସନ୍ଦେହ କରାଯାଉଛି।

ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ ପଟିଆଲାର ପାର୍କ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତରଙ୍କ ଏକ ଦଳ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପୁଲିସ ସୂତ୍ର ଅନୁସାରେ, ଘଟଣାସ୍ଥଳରୁ ଏକ ୧୨ ପୃଷ୍ଠାର ସୁଇସାଇଡ ନୋଟ୍ ଜବତ କରାଯାଇଛି। ସେହି ନୋଟ୍‌ରେ ଅମର ସିଂହ ଚହଲ ଅନଲାଇନ ଠକେଇ ଯୋଗୁଁ ଗଭୀର ଆର୍ଥିକ ସମସ୍ୟାରେ ପଡ଼ିଥିବା କଥା ଉଲ୍ଲେଖ କରିଥିବା ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁସାରେ, ସାଇବର ଠକମାନେ ତାଙ୍କଠାରୁ ପ୍ରାୟ ୮ କୋଟି ଟଙ୍କା ଠକେଇ କରି ନେଇଥିଲେ।

ସୁଇସାଇଡ ନୋଟ୍‌ରେ ଅମର ସିଂହ ଚହଲ ପଞ୍ଜାବ ଡିଜିପିଙ୍କୁ ସମ୍ବୋଧିତ କରି ଏହି ଠକେଇ ମାମଲା ଉପରେ ତୁରନ୍ତ ଏବଂ ଗଭୀର ତଦନ୍ତ କରିବାକୁ ଅନୁରୋଧ କରିଥିବା କଥା ମଧ୍ୟ ଉଲ୍ଲେଖ ରହିଛି।

ତେବେ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଘଟଣାକୁ ନେଇ ସମସ୍ତ ଦିଗରୁ ତଦନ୍ତ ଆରମ୍ଭ ହୋଇଛି। ସୁଇସାଇଡ ଚେଷ୍ଟା ନା କୌଣସି ଅନ୍ୟ ଆଘାତ—ସେଥିପାଇଁ ସମସ୍ତ ପ୍ରମାଣ ଓ ପରିସ୍ଥିତିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ପରେ ମାତ୍ର ସଠିକ୍ ନିଷ୍କର୍ଷରେ ପହଞ୍ଚାଯିବ ବୋଲି ପୁଲିସ କହିଛି।