ନୂଆଦିଲ୍ଲୀ: ପ୍ରବଳ ଶୀତରେ ଯେତେବେଳେ ମଣିଷ ନିଜକୁ ଘରଭିତରେ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛି, ସେତେବେଳେ ବାହାରେ ଥିବା ବୁଲା ପଶୁମାନଙ୍କର ଯନ୍ତ୍ରଣା କେହି ଅନୁଭବ କରୁନାହାନ୍ତି। ଏହି ହାଡ଼ଭଙ୍ଗା ଶୀତରେ ଏକ ହୃଦୟସ୍ପର୍ଶୀ ଘଟଣା ସୋସିଆଲ ମିଡିଆରେ ମଣିଷତ୍ୱର ଉଦାହରଣ ଭାବେ ଆଲୋଚିତ ହେଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବୟସ୍କ ବ୍ୟକ୍ତି ଶୀତ କାକରରେ ବାହାରେ ରାତି କାଟୁଥିବା ଏକ ବୁଲା ମାଆ କୁକୁର ଓ ତା’ର ନୂଆନୂଆ ଜନ୍ମ ହୋଇଥିବା ଛୁଆମାନଙ୍କୁ ଦେଖି ନିରବ ରହିପାରିନାହାନ୍ତି। ପଶୁମାନଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ସେ ନିଜ ଘରକୁ ଆଶ୍ରୟସ୍ଥଳ କରିଦେଇଛନ୍ତି।

ବୃଦ୍ଧ ବ୍ୟକ୍ତି ନିଜ ପୋଷାକରେ କୁନି କୁନି କୁକୁର ଛୁଆମାନଙ୍କୁ ସାବଧାନତାର ସହିତ ବୋହି ଆଣି ଘରଭିତରେ ଏକ ଉଷ୍ମ ସ୍ଥାନରେ ରଖିଥିଲେ। ଇଟା ଓ ପଟାରେ ତିଆରି ହୋଇଥିବା ଏକ ଛୋଟ ଆଶ୍ରୟସ୍ଥଳରେ ନଡ଼ା ଓ ଶୁଖିଲା ଗୁଣ୍ଡ ପକାଇ ଗରମ ପରିବେଶ ସୃଷ୍ଟି କରିଥିଲେ। ଏହା ପରେ ମାଆ କୁକୁରଟି ନିଜ ଛୁଆଙ୍କୁ ସୁରକ୍ଷିତ ଦେଖି ଶାନ୍ତିରେ ସେଠାରେ ଶୋଇ ପଡ଼ିଥିଲା।

ଭିଡିଓରେ ମାଆ କୁକୁରଟିର ନୀରିହ ଚାହାଣୀ ଓ ଶାନ୍ତ ମୁହଁ ଦେଖିଲେ ସ୍ପଷ୍ଟ ହୁଏ ଯେ, ମଣିଷର ଏକ ସାମାନ୍ୟ ସହାନୁଭୂତି ପଶୁମାନଙ୍କ ପାଇଁ କେତେ ବଡ଼ ଆଶ୍ୱାସନ ହୋଇପାରେ।

ଯଦିଓ ଏହି ଭିଡିଓ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ, ତଥାପି ସୋସିଆଲ ମିଡିଆରେ ଏହା ବେପରୁଆ ଭାବେ ଭାଇରାଲ ହେଉଛି। ନେଟିଜେନମାନେ ବୃଦ୍ଧ ବ୍ୟକ୍ତିଙ୍କୁ “ସତ୍ୟ ନାୟକ” ବୋଲି କହିବା ସହ ମାନବତାର ଜୀବନ୍ତ ଉଦାହରଣ ଭାବେ ସମ୍ମାନ ଜଣାଉଛନ୍ତି।

ଏଭଳି ଘଟଣା ପୁନର୍ବାର ପ୍ରମାଣ କରେ ଯେ, ସାମାଜିକ ଦାୟିତ୍ୱ ଓ କରୁଣା ଯଦି ମଣିଷ ମନରେ ରହିଥାଏ, ତେବେ ସମାଜ ନିଶ୍ଚିତ ଭାବେ ଅଧିକ ସୁନ୍ଦର ହୋଇପାରିବ।