ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ୫୦ତମ ରାଜ୍ୟ ଅଧିବେଶନ ଆଜି ଭଦ୍ରକ ଜିଲ୍ଲାର ଐତିହାସିକ ରକ୍ତତୀର୍ଥ ଇରମସ୍ଥିତ ଗାନ୍ଧୀ ପଡ଼ିଆରେ ଭବ୍ୟ ଭାବେ ଉଦଘାଟିତ ହୋଇଛି। ଉଦଘାଟନୀ ସତ୍ରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, ଯୁବ ବ୍ୟାପାର, କ୍ରୀଡା ଏବଂ ଓଡ଼ିଆ ଭାଷା–ସାହିତ୍ୟ–ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଭଦ୍ରକ ମାଟି ଐତିହାସିକ ବଳିଦାନ, ସଂଘର୍ଷ ଓ ଦେଶଭକ୍ତିର ଜୀବନ୍ତ ପ୍ରତୀକ। ଏମିତି ଏକ ପବିତ୍ର ଭୂମିରେ ଏବିଭିପିର ୫୦ତମ ରାଜ୍ୟ ଅଧିବେଶନ ଆୟୋଜନ ଭଦ୍ରକ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ। ସମାଜ ସେବା, ଶିକ୍ଷା ସଂସ୍କାର, ଛାତ୍ରହିତ ସୁରକ୍ଷା ଓ ଜାତୀୟ ପୁନର୍ନିର୍ମାଣରେ ଏବିଭିପିର ଦୀର୍ଘଦିନର ଅବଦାନକୁ ସେ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଅତିଥି ସ୍ୱାମୀ ବିବେକାନନ୍ଦ ଓ ମାତା ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ଅଧିବେଶନର ଶୁଭାରମ୍ଭ କରିଥିଲେ। ନବନିର୍ବାଚିତ ରାଜ୍ୟ ସଭାପତି ଡ଼ଃ ଦେବେଶ ଶଙ୍କର ହୋତା ତାଙ୍କ ସ୍ୱାଗତ ଭାଷଣରେ ରାଜ୍ୟର ସମସ୍ତ ଅଞ୍ଚଳରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଭଦ୍ରକ ମାଟିରେ ସ୍ୱାଗତ ଜଣାଇ ଏହି ଅଧିବେଶନକୁ ଓଡ଼ିଶାର ଛାତ୍ର ଆନ୍ଦୋଳନ ପାଇଁ ଏକ ମାଇଲସ୍ଟୋନ୍ ବୋଲି ଅଭିହିତ କରିଥିଲେ।

ଶିକ୍ଷାକୁ ସଂସ୍କୃତି ସହ ଯୋଡ଼ିବାର ଆହ୍ୱାନ

ମୁଖ୍ୟ ବକ୍ତା ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ତାଙ୍କ ଉଦ୍ବୋଧନରେ ଶିକ୍ଷାକୁ ମୂଲ୍ୟବୋଧ, ସଂସ୍କୃତି ଓ ଜାତୀୟ ଦାୟିତ୍ୱ ସହିତ ଯୋଡ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏବିଭିପିର ରାଷ୍ଟ୍ରୀୟ ସହ–ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ କହିଥିଲେ ଯେ, ୭୭ ଲକ୍ଷରୁ ଅଧିକ ସଦସ୍ୟତା ସହ ଏବିଭିପି ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ ଭାବେ କାର୍ଯ୍ୟ କରୁଛି। ସେ ୨୦୦୧ ମସିହାରେ ଭଦ୍ରକରେ ହୋଇଥିବା ପୂର୍ବ ରାଜ୍ୟ ଅଧିବେଶନର ସ୍ମୃତି ମଧ୍ୟ ଉଲ୍ଲେଖ କରିଥିଲେ।

ଶେଷରେ ରାଜ୍ୟ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ ଅଧିବେଶନରେ ଉପସ୍ଥିତ ସମସ୍ତ ଅତିଥି, ମଞ୍ଚାସୀନ ବ୍ୟକ୍ତିବର୍ଗ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ ଉଦଘାଟନୀ ସତ୍ରର ସମାପ୍ତି ଘୋଷଣା କରିଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ପୂର୍ବ ପ୍ରାନ୍ତର ପାଞ୍ଚଶହରୁ ଅଧିକ କାର୍ଯ୍ୟକର୍ତ୍ତା ସହ ବହୁ ସଂଖ୍ୟକ ପୂର୍ବତନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅଧିବେଶନକୁ ଐତିହାସିକ ମାନ୍ୟତା ପ୍ରଦାନ କରିଥିଲେ।