ନୂଆଦିଲ୍ଲୀ: ଆରାବଳୀ—ଏହା କେବଳ ଏକ ପର୍ବତମାଳା ନୁହେଁ, ବରଂ ଉତ୍ତର ଭାରତର ପରିବେଶୀୟ ସନ୍ତୁଳନର ମୂଳ ଆଧାର। ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ଯାଏଁ ବିସ୍ତାରିତ ଏହି ପର୍ବତମାଳା ପାଣି ସଂରକ୍ଷଣ, ପବନ ନିୟନ୍ତ୍ରଣ ଓ ମରୁଭୂମିକରଣକୁ ରୋକିବାରେ ଏକ ସୁରକ୍ଷା ପ୍ରାଚୀର ଭାବେ କାମ କରୁଛି। କିନ୍ତୁ ବର୍ତ୍ତମାନ ଆରାବଳୀର ଅସ୍ତିତ୍ୱ ଉପରେ ଗଭୀର ସଙ୍କଟ ଦେଖାଦେଇଛି।

ଆରାବଳୀ ଅଞ୍ଚଳରେ ଖଣି ଖନନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଏକ ମାମଲାର ଫଇସଲା ପରେ ପରିବେଶବିତ୍ମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ୧୦୦ ମିଟରରୁ ଅଧିକ ଉଚ୍ଚତାର ପାହାଡ଼ିଆ ଅଞ୍ଚଳକୁ ମାତ୍ର ଆରାବଳୀର ଅଂଶ ଭାବେ ଗ୍ରହଣ କରାଯିବ। ୧୦୦ ମିଟରରୁ କମ୍ ଉଚ୍ଚତା ଥିବା ଅଞ୍ଚଳଗୁଡ଼ିକୁ ଆରାବଳୀର ଅଂଶ ମନାଯିବ ନାହିଁ।

ଏହି ନିଷ୍ପତ୍ତିର ପରିଣାମ ସ୍ୱରୂପ ଅନେକ ପାହାଡ଼ିଆ ଅଞ୍ଚଳରେ ଖଣି ଖନନ, ଜଙ୍ଗଲ କାଟ, ଏବଂ ବ୍ୟାପକ ନିର୍ମାଣ କାର୍ଯ୍ୟର ପଥ ଖୋଲିଯିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ବିରୋଧ କରି ପରିବେଶ ସୁରକ୍ଷାକାରୀ ଓ ସଚେତନ ନାଗରିକମାନେ ‘ସେଭ୍ ଆରାବଳୀ’ ନାମରେ ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରିଛନ୍ତି।

ପରିବେଶବିତ୍ମାନଙ୍କ କହିବା ଅନୁସାରେ, ଦୁନିଆର ସବୁଠୁ ପୁରୁଣା ପର୍ବତମାଳା ଭାବେ ପରିଚିତ ଆରାବଳୀ ଉତ୍ତର ଭାରତ ପାଇଁ ଏକ ସୁରକ୍ଷା କବଚ। ଏହା ନଷ୍ଟ ହେଲେ ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି, ଜଳସଙ୍କଟ ଓ ବାୟୁ ପ୍ରଦୂଷଣ ଆହୁରି ଭୟାବହ ହେବ। ସହିତ ଅସଂଖ୍ୟ ବନ୍ୟଜନ୍ତୁ ଓ ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହେବାର ଆଶଙ୍କା ରହିଛି।

ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଯଦି ଆରାବଳୀର ସୁରକ୍ଷା ପାଇଁ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରାଯାଇନାହିଁ, ତେବେ ଆଗାମୀ ଦିନରେ ଉତ୍ତର ଭାରତ ମରୁଭୂମିକରଣର ଭୟାବହ ସମସ୍ୟା ସମ୍ମୁଖୀନ ହେବ।