ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି। AIADMKର ଦୁଇ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀ ସି.ଭି. ଷଣ୍ମୁଗମ୍ ଏବଂ ସି. ବିଜୟଭାସ୍କର ସେମାନଙ୍କର କିଛି ବରିଷ୍ଠ ସହଯୋଗୀଙ୍କ ସହ ରବିବାର ଦିନ ସୁପରଷ୍ଟାର ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗାମ’ (TVK)ର ପାନାୟୁର ସ୍ଥିତ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସାମିଲ ହୋଇପାରନ୍ତି।ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରଠାରୁ ବିରୋଧୀ ଦଳ ଶିବିରରେ ଚାଲିଥିବା ରାଜନୈତିକ ଅଦଳବଦଳ ମଧ୍ୟରେ ଏହି ଖବରକୁ ନେଇ ସରଗରମ ହୋଇଛି ତାମିଲନାଡୁ ରାଜନୀତି।

ସୂଚନାଯୋଗ୍ୟ ଯେ, ବିଧାନସଭା ନିର୍ବାଚନରେ ବିଜୟଙ୍କ ନେତୃତ୍ୱାଧୀନ TVK ୧୦୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ୧୧୮ ବହୁମତ ସଂଖ୍ୟାରୁ ଏହା ସାମାନ୍ୟ ପଛରେ ରହିଯାଇଥିଲା। ଏହାପରେ ସରକାର ଗଢ଼ିବା ପାଇଁ TVK, DMK ମେଣ୍ଟରେ ଥିବା କିଛି ଦଳର ସହଯୋଗ ଲୋଡ଼ିଥିଲା।

ସର୍ବପ୍ରଥମେ କଂଗ୍ରେସ, ଡିଏମକେ (DMK) ମେଣ୍ଟରୁ ଓହରି ଯାଇ TVK ସରକାରକୁ ସମର୍ଥନ ଦେଇଥିଲା, ଯାହା ବଦଳରେ କଂଗ୍ରେସକୁ ଦୁଇଟି ମନ୍ତ୍ରୀ ପଦ ଏବଂ ଗୋଟିଏ ରାଜ୍ୟସଭା ଆସନ ମିଳିଛି। ସେହିପରି ଭିସିକେ (VCK) ଏବଂ ଆଇୟୁଏମଏଲ (IUML) ମଧ୍ୟ ପ୍ରଥମେ ବାହାରୁ ସମର୍ଥନ ଦେବା ପରେ ଏବେ ସରକାରରେ ସାମିଲ ହୋଇ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି। ସିପିଆଇ(ଏମ) ଏବଂ ସିପିଆଇ ସରକାରକୁ ବିନା ସର୍ତ୍ତରେ ସମର୍ଥନ ଜାରି ରଖିଛନ୍ତି।

ବିଧାନସଭାରେ ଆସ୍ଥା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ (ବିଜୟ) AIADMKର ବିଦ୍ରୋହୀ ଗୋଷ୍ଠୀ ଏସ.ପି. ଭେଲୁମଣି ଏବଂ ସି.ଭି. ଷଣ୍ମୁଗମ୍‌ଙ୍କ ସହ ଆଲୋଚନା କରିଥିଲେ। ଆସ୍ଥା ଭୋଟ୍ ସମୟରେ ଏହି ଗୋଷ୍ଠୀର ସମସ୍ତ ୨୫ ଜଣ ବିଧାୟକ ଏବଂ AMK ବିଧାୟକ କାମରାଜ TVK ସରକାର ସପକ୍ଷରେ ଭୋଟ୍ ଦେଇଥିଲେ।

ଏହା ପରେ AIADMK ବିଧାୟକ ମାରାଗାଥମ କୁମାରଭେଲ, ଜୟକୁମାର, ସତ୍ୟଭାମା ଏବଂ ଇସାକ୍କି ସୁବୈୟା ନିଜ ପଦରୁ ଇସ୍ତଫା ଦେଇ ଆନୁଷ୍ଠାନିକ ଭାବେ TVKରେ ଯୋଗ ଦେଇଥିଲେ। ଯଦିଓ ପରେ ଭେଲୁମଣିଙ୍କ ନେତୃତ୍ୱରେ କିଛି ବିଧାୟକ ପୁଣି ଥରେ ମୂଳ ଦଳର ସାଧାରଣ ସମ୍ପାଦକ ଏଡାପ୍ପାଡି କେ. ପାଲାନିସ୍ୱାମୀଙ୍କ ନିକଟକୁ ଫେରିଯାଇଥିଲେ, କିନ୍ତୁ ଷଣ୍ମୁଗମ୍ ଓ ବିଜୟଭାସ୍କରଙ୍କ ଭଳି ପ୍ରମୁଖ ନେତାମାନେ ଏପର୍ଯ୍ୟନ୍ତ ଦୂରତା ରକ୍ଷା କରିଛନ୍ତି।

ପୂର୍ବରୁ ପୂର୍ବତନ ମନ୍ତ୍ରୀ ଭେଲ୍ଲାମଣ୍ଡି ନଟରାଜନଙ୍କ ସମେତ ଅନେକ ବଡ଼ ନେତା TVK ଶିବିରକୁ ଆସିସାରିଛନ୍ତି। ଏଭଳି ସ୍ଥିତିରେ ଯଦି ରବିବାର ଷଣ୍ମୁଗମ୍ ଏବଂ ବିଜୟଭାସ୍କର ଦଳରେ ସାମିଲ ହୁଅନ୍ତି, ତେବେ ଏହା ତାମିଲନାଡୁ ରାଜନୀତିରେ ବିଜୟଙ୍କ ଦଳ TVKକୁ ଆହୁରି ଶକ୍ତିଶାଳୀ କରିବ।