ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମାଦକାପଦର ପଞ୍ଚାୟତ ଅନ୍ତର୍ଗତ ଘଞ୍ଚ ଜଙ୍ଗଲରୁ ପ୍ରଚୁର ପରିମାଣର ଗଞ୍ଜେଇ ଜବତ କରିଛି ମାଥିଲି ପୋଲିସ। ଶନିବାର ସକାଳୁ ପୋଲିସ ଏହି ଜଙ୍ଗଲରେ ଚଢ଼ାଉ କରି ପ୍ରାୟ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ ପୋଲିସକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ଗୁପ୍ତ ସୂଚନା ଆଧାରରେ ମାଥିଲି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସକାଳ ପ୍ରାୟ ୫ଟା ସମୟରେ ଉକ୍ତ ଜଙ୍ଗଲରେ ପହଞ୍ଚି ଚଢ଼ାଉ କରିଥିଲେ। ଖଇରପୁଟ ବ୍ଲକର ଅତିରିକ୍ତ ତହସିଲଦାର ବ୍ରଜ ବିହାରୀ ପ୍ରଧାନଙ୍କ ଉପସ୍ଥିତିରେ ଏହି ସମସ୍ତ ଗଞ୍ଜେଇ ଜବତ କରାଯାଇଛି।
ଏହି ମିଳିତ ଅପରେସନରେ ଏସଆଇ (SI) ମନରଞ୍ଜନ ପ୍ରଧାନ, ଏସଆଇ (SI) ପଦ୍ମନ ପୂଜାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ଜଙ୍ଗଲର ଅତି ଗଭୀର ସ୍ଥାନରେ ଗଞ୍ଜେଇ ମାଫିଆମାନେ ଏହି ବେଆଇନ ନିଶାଦ୍ରବ୍ୟକୁ ଲୁଚାଇ ରଖିଥିଲେ।
ପୋଲିସର ସନ୍ଦେହ ଅନୁସାରେ, ଗଞ୍ଜେଇ ମାଫିଆମାନେ ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟତ୍ର ଚାଲାଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ସଞ୍ଜୟ କରି ରଖିଥିଲେ। ଏହି ର଼୍ୟାକେଟ୍ ପଛରେ କେଉଁ ସ୍ମଗଲରମାନେ ସାମିଲ ଅଛନ୍ତି, ତାହା ଚିହ୍ନଟ କରିବା ପାଇଁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।




