ଭୁବନେଶ୍ୱର, ୨୩/୧୨: ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ମାନବିକ କରିବା ଲକ୍ଷ୍ୟରେ ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ଏହି ସମସ୍ତ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି।
ନିଷ୍ପତ୍ତି ଅନୁଯାୟୀ, କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ଼, କୋରାପୁଟ, ବାରିପଦା ଏବଂ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମାଗାର ନିର୍ମାଣ କରାଯିବ। ଏହି ବିଶ୍ରାମାଗାରଗୁଡ଼ିକରେ ରହିବା, ପାଣି, ସ୍ୱଚ୍ଛତା ସହ ସମସ୍ତ ଆବଶ୍ୟକୀୟ ମୌଳିକ ସୁବିଧା ଉପଲବ୍ଧ କରାଯିବ, ଯାହା ଦୂରଦୂରାନ୍ତରୁ ଆସୁଥିବା ରୋଗୀ ସମ୍ପର୍କୀୟଙ୍କ ପାଇଁ ବଡ଼ ସହାୟକ ହେବ।
ଏହାସହିତ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ କରିବା ଉଦ୍ଦେଶ୍ୟରେ ଏକ ୧୭ ମହଲା ବିଶିଷ୍ଟ ଆଧୁନିକ ଭବନ ନିର୍ମାଣ କରାଯିବ। ଏହି ଭବନର ୧୨ଟି ମହଲା କେବଳ ପାର୍କିଂ ବ୍ୟବସ୍ଥା ପାଇଁ ବ୍ୟବହୃତ ହେବ, ଯାହା ଏସସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନକୁ ଆସୁଥିବା ରୋଗୀ ଓ ଅତିଥିମାନଙ୍କୁ ବଡ଼ ସୁବିଧା ଯୋଗାଇବ।
ବାକି ମହଲାଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟାଳୟ, ଆନାଟୋମି ବ୍ଲକ୍ ଓ ଫାର୍ମାସି କଲେଜ ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ସମସ୍ତ ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆଧୁନିକ, ସୁବିଧାଜନକ ଓ ଲୋକମୁଖୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।





