ଭୁବନେଶ୍ୱର, ୨୩।୧୨:

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ଆଧୁନିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ କଟକ ଏସ୍‌.ସି.ବି ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ନିଷ୍ପତ୍ତି ଅନୁଯାୟୀ, ଏସ୍‌.ସି.ବି କ୍ୟାମ୍ପସର ୬.୫୧ ଏକର ଜମିରେ ଏକ ୧୭ ମହଲା ବିଶିଷ୍ଟ ମଲ୍‌ଟି-ଲେଭଲ୍ ପାର୍କିଂ ନିର୍ମାଣ କରାଯିବ। ଏହାର ୧୨ଟି ମହଲା କେବଳ ଗାଡ଼ି ପାର୍କିଂ ପାଇଁ ବ୍ୟବହୃତ ହେବ, ଯାହା ରୋଗୀ, ସମ୍ପର୍କୀୟ ଏବଂ ହସ୍ପିଟାଲକୁ ଆସୁଥିବା ଲୋକମାନଙ୍କର ପାର୍କିଂ ସମସ୍ୟାକୁ ଅନେକ ଅଂଶରେ ସମାଧାନ କରିବ।

ବାକି ମହଲାଗୁଡ଼ିକରେ ପ୍ରଶାସନିକ ବ୍ଲକ୍, ଆନାଟୋମୀ ବ୍ଲକ୍ ଏବଂ ଫାର୍ମା କଲେଜ କାର୍ଯ୍ୟକ୍ଷମ ହେବ। ଏହି ପ୍ରକଳ୍ପ ମାଧ୍ୟମରେ ଏସ୍‌.ସି.ବି ମେଡିକାଲକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ଗଢ଼ି ତୋଳିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।