ନୂଆଦିଲ୍ଲୀ: ଭାରତର ଟେଲିକମ୍ ଓ ମହାକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସଫଳତାର ସହିତ ସବୁଠାରୁ ଓଜନଦାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍‌କୁ ମହାକାଶକୁ ପଠାଇ ଟେଲିକମ୍ କ୍ଷେତ୍ରରେ ନୂଆ ଦିଗ ଖୋଲିଛି। ଏହା ପରେ ଆଉ ମୋବାଇଲ୍ ନେଟଓ୍ୱର୍କ ପାଇଁ ପାହାଡ଼ ଚଢ଼ିବା କିମ୍ବା ଗଛ ଉପରେ ଚଢ଼ି କଥା ହେବାର ଆବଶ୍ୟକତା ରହିବ ନାହିଁ।

ଇସ୍ରୋର ଶକ୍ତିଶାଳୀ ରକେଟ୍ LVM-3 ଦ୍ୱାରା ୬.୧ ଟନ୍ ଓଜନର ଆମେରିକାର ବାଣିଜ୍ୟିକ ସାଟେଲାଇଟ୍ ‘ବ୍ଲୁବାର୍ଡ ବ୍ଲକ୍-୨’କୁ ସଫଳ ଭାବେ କକ୍ଷପଥରେ ସ୍ଥାପିତ କରାଯାଇଛି। ଏହି ସାଟେଲାଇଟ୍ ଭବିଷ୍ୟତରେ ମୋବାଇଲ୍ ଟାୱାର ଭଳି କାମ କରି ସିଧାସଳଖ ସ୍ମାର୍ଟଫୋନକୁ ନେଟଓ୍ୱର୍କ ସୁବିଧା ଯୋଗାଇବ।

ଏହି ଅତ୍ୟାଧୁନିକ ସାଟେଲାଇଟ୍ ଟେକ୍ନୋଲୋଜି ମାଧ୍ୟମରେ ଦୁର୍ଗମ ଓ ନେଟଓ୍ୱର୍କ ବଞ୍ଚିତ ଅଞ୍ଚଳର ଲୋକମାନେ ମଧ୍ୟ ୪ଜି ଓ ୫ଜି ହାଇ-ସ୍ପିଡ୍ ଇଣ୍ଟରନେଟ୍, ଭିଡିଓ କଲ୍ ଏବଂ ଡାଟା ସେବା ଉପଭୋଗ କରିପାରିବେ। ଏହାର ବିଶେଷତା ହେଉଛି—ଏହି ସେବା ପାଇଁ ଗ୍ରାହକମାନଙ୍କୁ ସିମ୍ କାର୍ଡ ବଦଳାଇବା କିମ୍ବା ନୂଆ ସର୍ଭିସ ପ୍ରୋଭାଇଡର ନେବାକୁ ପଡ଼ିବ ନାହିଁ। ସମ୍ପୃକ୍ତ କମ୍ପାନି ବିଶ୍ୱର ବିଭିନ୍ନ ପ୍ରମୁଖ ମୋବାଇଲ୍ ଅପରେଟରଙ୍କ ସହ ମିଳି କାର୍ଯ୍ୟ କରୁଥିବାରୁ ଏହି ସୁବିଧା ସାରା ବିଶ୍ୱରେ ପ୍ରସାରିତ ହେବ।

ଏହି ସଫଳତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ପ୍ରଶଂସା କରି କହିଛନ୍ତି ଯେ, ଭାରତୀୟ ମାଟିରୁ ଉତକ୍ଷେପଣ ହୋଇଥିବା ସବୁଠାରୁ ଓଜନଦାର ସାଟେଲାଇଟ୍ ଭାରତର ମହାକାଶ ଯାତ୍ରାରେ ଏକ ଗର୍ବର ମୁହୂର୍ତ୍ତ। ଏହା ଭାରତର ଭାରୀ-ଉତକ୍ଷେପଣ କ୍ଷମତାକୁ ସୁଦୃଢ଼ କରିବା ସହ ବିଶ୍ୱ ବାଣିଜ୍ୟିକ ଉତକ୍ଷେପଣ ବଜାରରେ ଦେଶର ଭୂମିକାକୁ ଆହୁରି ମଜବୁତ କରିଛି। ସେ ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇ “ଆତ୍ମନିର୍ଭର ଭାରତ” ଦିଗରେ ଏହାକୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।

ଏହି ସଫଳତା ସହ ଭାରତ ଟେଲିକମ୍ ଓ ମହାକାଶ କ୍ଷେତ୍ରରେ ଆହୁରି ଉଚ୍ଚତାକୁ ଛୁଇଁବା ଦିଗରେ ଆଗକୁ ବଢ଼ୁଛି।