ଭଦ୍ରକ: ଚାନ୍ଦବାଲି ଅଞ୍ଚଳରେ ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଅଞ୍ଚଳରେ ତୀବ୍ର ଆକ୍ରୋଶ ଦେଖାଦେଇଛି। ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଅଭିଯୁକ୍ତର ଘରକୁ ଘେରାଉ କରି ଭାଙ୍ଗିଦେଇଥିବା ସୂଚନା ମିଳିଛି। ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ ମୁତାୟେନ ହୋଇଥିଲେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ସ୍ଥିତି ତଣାବପୂର୍ଣ୍ଣ ରହିଥିଲା।

ଏହି ଲୋମହର୍ଷକ ଘଟଣା ପରେ ଚାନ୍ଦବାଲିରେ ବ୍ୟାପକ ପ୍ରତିବାଦ ଆରମ୍ଭ ହୋଇଥିଲା। ଗତକାଲି ରାତିରେ ଉତ୍ୟକ୍ତ ଲୋକେ ବିଭିନ୍ନ ସ୍ଥାନରେ ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ। ଆଜି ପରିସ୍ଥିତି ଆହୁରି ଉତ୍ତେଜିତ ହେବା ସହ ଅଭିଯୁକ୍ତର ଘର ଭାଙ୍ଗି ଦିଆଯାଇଛି। ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି।

ପୁଲିସ ସୂତ୍ର ଅନୁସାରେ, ମଙ୍ଗଳବାର ଦିନ ଦୁପୁର ପ୍ରାୟ ୧୨ଟା ସମୟରେ ମାଉସୀ ଘରକୁ ଆସିଥିବା ନାବାଳିକା ଘର ପାଖରୁ ହଠାତ୍ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ଦୀର୍ଘ ସମୟ ଖୋଜାଖୋଜି କରି ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ରାତି ପ୍ରାୟ ୮ଟା ବେଳକୁ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଘଟଣା ପରେ ଭଦ୍ରକ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍‌ର ସହାୟତାରେ ଅଧିକ ଛାନଭିନ ଚାଲିଥିବା ପୁଲିସ କହିଛି।

ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଗଭୀର ଶୋକ ଓ କ୍ରୋଧ ଦେଖାଦେଇଛି। ସ୍ଥାନୀୟ ବାସିନ୍ଦାମାନେ ଦୋଷୀଙ୍କୁ କଠୋରତମ ଶାସ୍ତି ଦେବାକୁ ଦାବି କରିଛନ୍ତି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ଘଟଣାରେ ଜଡିତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ପୀଡିତ ପରିବାରକୁ ନ୍ୟାୟ ଦେବାକୁ ସରକାର ପ୍ରତିବଦ୍ଧ।