କଟକ:
ସାମୁଦ୍ରିକ ବ୍ୟବସାୟିକ ବିବାଦକୁ ନେଇ ଓଡ଼ିଶା ହାଇକୋର୍ଟ ପାରାଦୀପ ବନ୍ଦରରେ ଏକ ଜାହାଜକୁ ଆରେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ଏହି ସଂପର୍କିତ ମାମଲାର ଜରୁରୀ ଶୁଣାଣି କରି ଅଦାଲତ ଏମଭି ‘ଦି’ ପାଟ୍ରୋନ (IMO No. 9481439) ନାମକ ଜାହାଜକୁ ଗିରଫ କରିବାକୁ ଆଦେଶ ଜାରି କରିଛନ୍ତି।
ଜଷ୍ଟିସ ଏମ.ଏସ. ରମଣଙ୍କ ନେତୃତ୍ୱରେ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଜଲ୍ଧି ଓଭରସିଜ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହିସହ ମୂଳ ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ଜାହାଜକୁ ହାଇକୋର୍ଟ ନୋଟିସ ମଧ୍ୟ ଜାରି କରିଛନ୍ତି।
ଆବେଦନକାରୀ ସଂସ୍ଥା ଦାବି କରିଥିଲା ଯେ, ଉକ୍ତ ଜାହାଜଟି ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯିବାର ସମ୍ଭାବନା ରହିଛି। ଯଦି ଜାହାଜ ଅନ୍ୟତ୍ର ଚାଲିଯାଏ, ତେବେ ମାମଲାଟି ଅପ୍ରାସଙ୍ଗିକ ହୋଇପାରେ ବୋଲି ଦର୍ଶାଇ ଜରୁରୀ ଶୁଣାଣି ପାଇଁ ନିବେଦନ କରାଯାଇଥିଲା। ଏହାକୁ ଗୁରୁତ୍ୱ ଦେଇ ଅଦାଲତ ସନ୍ଧ୍ୟା ୪ଟା ୪୫ ମିନିଟ୍ରେ ଶୁଣାଣି କରି ତତ୍କାଳ ଆଦେଶ ଜାରି କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଏମଭି ‘ଦି’ ପାଟ୍ରୋନ ବିରୋଧରେ ପ୍ରାୟ ୨୦୨ ହଜାର ଆମେରିକୀୟ ଡଲାର ଆର୍ଥିକ ଦାବି ଉଠାଇ ଆବେଦନକାରୀ ସଂସ୍ଥା ହାଇକୋର୍ଟରେ ମୂଳ ମାମଲା ଦାୟର କରିଛି। ସେହି ମାମଲା ବିଚାରାଧୀନ ଥିବା ବେଳେ ଜାହାଜକୁ ଆରେଷ୍ଟ କରାଯିବାକୁ ନେଇ ଅନ୍ତରୀଣ ଆବେଦନ ହୋଇଥିଲା।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୬ ଜାନୁଆରି ୫ ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ ହେବ ବୋଲି ହାଇକୋର୍ଟ ସୂଚନା ଦେଇଛନ୍ତି।





