ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍) ନିଜର ୧୦୦ତମ ବାର୍ଷିକୀ ପୂର୍ବରୁ ସାଂଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ସଂଘର ଉଚ୍ଚ ସ୍ତରରେ ପ୍ରଚାରକ ବ୍ୟବସ୍ଥାକୁ ପୁନର୍ଗଠନ କରିବା ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। ପ୍ରସ୍ତାବିତ ଯୋଜନା ଅନୁଯାୟୀ, ବର୍ତ୍ତମାନ ଚାଲୁଥିବା ପ୍ରାଦେଶିକ ପ୍ରଚାରକ ପଦବୀକୁ ବିଲୋପ କରି ‘ସମ୍ଭାଗ ପ୍ରଚାରକ’ ପ୍ରଣାଳୀ ଆଣାଯାଇପାରେ।
ନୂତନ ଢାଞ୍ଚାରେ ସମ୍ଭାଗ ପ୍ରଚାରକଙ୍କ କାର୍ଯ୍ୟକ୍ଷେତ୍ର ପୂର୍ବ ତୁଳନାରେ ଛୋଟ ଓ ଅଧିକ କେନ୍ଦ୍ରିତ ହେବ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ କରି ରାଜ୍ୟ ପ୍ରଚାରକ ନିଯୁକ୍ତ ହେବେ, ଯିଏ ସମଗ୍ର ରାଜ୍ୟର ସଂଗଠନୀୟ କାର୍ଯ୍ୟକଳାପର ଦାୟିତ୍ୱ ନେବେ। ଦୁଇଟି ମଣ୍ଡଳକୁ ମିଶାଇ ଗୋଟିଏ ସଂଘ ବିଭାଗ ଗଠନ କରାଯିବା ଯୋଜନା ରହିଛି।
ଉଦାହରଣ ସ୍ୱରୂପ, ଉତ୍ତର ପ୍ରଦେଶକୁ ସଂଘ ବର୍ତ୍ତମାନ ବ୍ରଜ, ଅବଧ, ମିରଟ, କାନପୁର, କାଶୀ ଓ ଗୋରଖ ପ୍ରଦେଶ ଭଳି ଛଅଟି ପ୍ରାନ୍ତରେ ବିଭକ୍ତ କରିଛି। ପ୍ରଶାସନିକ ଭାବେ ଏହି ରାଜ୍ୟରେ ୧୮ଟି ମଣ୍ଡଳ (କମିଶନରୀ) ରହିଛି। ନୂତନ ପ୍ରଣାଳୀ ଅନୁଯାୟୀ, ଉତ୍ତର ପ୍ରଦେଶରେ ୯ଜଣ ସମ୍ଭାଗ ପ୍ରଚାରକ ଓ ଗୋଟିଏ ରାଜ୍ୟ ପ୍ରଚାରକ ନିୟୋଜିତ ହେବାର ସମ୍ଭାବନା ରହିଛି।
ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହେଲେ, ସାରା ଦେଶରେ ସଂଘର କ୍ଷେତ୍ର ପ୍ରଚାରକ ସଂଖ୍ୟା ୧୧ରୁ କମି ୯କୁ ଆସିବ। ସେହିପରି, ଦେଶ ଜୁଡ଼ା ମୋଟ ପ୍ରାୟ ୭୫ଜଣ ସମ୍ଭାଗ ପ୍ରଚାରକ କାର୍ଯ୍ୟରତ ରହିବେ। ସଂଘର କାର୍ଯ୍ୟକୁ ଆଉ ଅଧିକ ସକ୍ରିୟ, ସମନ୍ୱିତ ଓ ପ୍ରଭାବଶାଳୀ କରିବା ଏହି ପୁନର୍ଗଠନର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସୂଚନା ମିଳିଛି।





