ବ୍ୟାଙ୍କକ୍‌, ୨୭ ଡିସେମ୍ବର: ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିବା ଦୀର୍ଘ ସମୟର ତଣାତଣିକୁ ଶାନ୍ତ କରିବା ପାଇଁ ଦୁଇ ଦେଶ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଶନିବାର ଉଭୟ ଦେଶ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି।

ଗତ କିଛି ସପ୍ତାହ ଧରି ସୀମା ଅଞ୍ଚଳରେ ହିଂସା ଓ ସେନା ମୁହାଁମୁହିଁ ଘଟଣା ବଢ଼ିବାରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଥିଲା। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ହୋଇଥିବା ଆଲୋଚନା ପରେ ଯୁଦ୍ଧବିରତି ଉପରେ ସମ୍ମତି ମିଳିଛି।

ଯଦିଓ ଯୁଦ୍ଧବିରତି ଲାଗୁ ହେବା ପୂର୍ବରୁ ଶନିବାର ସକାଳେ ଥାଇଲାଣ୍ଡ ପକ୍ଷରୁ କାମ୍ବୋଡ଼ିଆ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିବା ଅଭିଯୋଗ କାମ୍ବୋଡ଼ିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କରିଛି। ଏହାସହିତ ଯୁଦ୍ଧବିରତି ଘୋଷଣାର ୭୨ ଘଣ୍ଟା ମଧ୍ୟରେ ଥାଇଲାଣ୍ଡ ଦ୍ୱାରା ବନ୍ଦୀ ରଖାଯାଇଥିବା ୧୮ ଜଣ କାମ୍ବୋଡ଼ିଆ ସେନାଙ୍କୁ ମୁକ୍ତ କରି ଫେରାଇବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

ଏହି ଯୁଦ୍ଧବିରତି ଚୁକ୍ତିକୁ ଦକ୍ଷିଣ–ପୂର୍ବ ଏସିଆ ଅଞ୍ଚଳରେ ସାନ୍ତି ଓ ସ୍ଥିରତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।