ଭୁବନେଶ୍ୱର: ରାଜ୍ୟରେ ଏବେ ବି ପ୍ରବଳ ଶୀତ ଲହରୀର ପ୍ରଭାବ ଜାରି ରହିଛି। ଏହାସହ ଆଗାମୀ ପାଞ୍ଚ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ତେବେ ତିନି ଦିନ ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ପ୍ରବଳ ଶୀତ ଲହରୀର ପ୍ରଭାବରୁ ରବିବାର ସକାଳେ ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲସିୟସ୍‌ ତଳେ ରେକର୍ଡ କରାଯାଇଥିଲା। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ରହିଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡି ଓ ଫୁଲବାଣୀରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି, ଯେଉଁଠାରେ ତାପମାତ୍ରା ପ୍ରାୟ ୬ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ ଖସିଛି।

ଆଇଏମଡି ସୂଚନା ଅନୁସାରେ, ଜାନୁଆରି ୧ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ। ତେବେ ଜାନୁଆରି ୨ରୁ ଶୀତର ପ୍ରଭାବ ଧୀରେ ଧୀରେ କମିବାର ସମ୍ଭାବନା ରହିଛି।

ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିପାରେ। ସେହିପରି ଡିସେମ୍ବର ୩୦ ସକାଳ ପର୍ଯ୍ୟନ୍ତ ଭଦ୍ରକ, ବାଲେଶ୍ୱର ସହିତ ଏହି ସମସ୍ତ ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାକୁ ଆଇଏମଡି ପୂର୍ବାନୁମାନ କରିଛି।