ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୪୦୦ରୁ ୫୦୦ ପାକିସ୍ତାନୀ ପ୍ରାଣ ହରାଇଥିବା ଦାବି କରିଛନ୍ତି ଭାରତୀୟ ସେନାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍ ଢିଲୋନ୍। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ବୟାନ ପ୍ରତି ପ୍ରତିକ୍ରିୟା ଦେଇ ସେ ଏହି କଥା କହିଛନ୍ତି।

କେଜେଏସ୍ ଢିଲୋନ୍ କହିଛନ୍ତି, ଇସାକ ଦାର ପୂର୍ବରୁ ଅନେକ ସମୟରେ ଭ୍ରମାତ୍ମକ ବୟାନ ଦେଇଆସିଥିଲେ, ତଥାପି ଏଥର ସେ ଅନଚେତନରେ ସତ୍ୟକୁ ସ୍ୱୀକାର କରିଛନ୍ତି। ତାଙ୍କ ମତାନୁସାରେ, ପାକିସ୍ତାନର ସମା ଟିଭିର ୱେବସାଇଟ୍ ୧୪ ଅଗଷ୍ଟ ୨୦୨୫ରେ ଅପରେସନ ସିନ୍ଦୂର ସମୟରେ ନିହତ ୧୩୮ ଜଣ ବୀରତ୍ୱ ପୁରସ୍କାର ବିଜେତାଙ୍କ ନାମ ପ୍ରକାଶ କରିଥିଲା। ଉକ୍ତ ପୁରସ୍କାରଗୁଡ଼ିକ ସେମାନଙ୍କୁ ମରଣୋତ୍ତର ଭାବରେ ପ୍ରଦାନ କରାଯାଇଥିବା କଥା ଉଲ୍ଲେଖ ହୋଇଥିଲା।

ଏହି ତଥ୍ୟକୁ ଆଧାର କରି କେଜେଏସ୍ ଢିଲୋନ୍ କହିଛନ୍ତି ଯେ, ୧୩୮ ଜଣଙ୍କୁ ମରଣୋତ୍ତର ସମ୍ମାନ ଦିଆଯାଇଥିଲେ ମାନେ ମୋଟ ମୃତ୍ୟୁ ସଂଖ୍ୟା ତାହାଠାରୁ ଅନେକ ଅଧିକ ହୋଇଥିବା ନିଶ୍ଚିତ। ତେଣୁ ଅପରେସନ ସିନ୍ଦୂରରେ ୪୦୦ରୁ ୫୦୦ ପାକିସ୍ତାନୀ ମୃତ୍ୟୁ ଘଟିଥିବା ଅନୁମାନ ଅଯୁକ୍ତିସଂଗତ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି, କେବଳ କିଛି ଲୋକ ସାମାନ୍ୟ ଆହତ ହୋଇଥିବା ବୋଲି ପାକିସ୍ତାନ ପକ୍ଷରୁ କହାଯାଉଥିବା ଦାବି ବାସ୍ତବ ସ୍ଥିତି ସହିତ ମେଳ ଖାଉନାହିଁ। ଭାରତୀୟ ଆକ୍ରମଣ ପରେ ନୂର ଖାନ ବାୟୁସେନା ଘାଟିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ଓ ଏହାର ଭିଡିଓ ପାକିସ୍ତାନୀ ନାଗରିକମାନେ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ।

କେଜେଏସ୍ ଢିଲୋନ୍ ଦାବି କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ସମସ୍ତ ୧୧ଟି ବାୟୁସେନା ଘାଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଏହା ସମ୍ପର୍କିତ ଫଟୋ ଓ ଭିଡିଓ ପ୍ରମାଣ ଥିଲେ ସୁଦ୍ଧା, ପାକିସ୍ତାନ ପକ୍ଷରୁ ତଥ୍ୟ ଲୁଚାଇ ରଖାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।