ବେଙ୍ଗାଲୁରୁ: ଭାରତର ରାଷ୍ଟ୍ରପତି ଓ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକ ଗସ୍ତକାଳୀନ କରୱାର ନୌସେନା ଘାଟିରୁ ଭାରତୀୟ ନୌସେନାର ସ୍ୱଦେଶୀ ଭାବରେ ବିକଶିତ କଲଭାରୀ-ଶ୍ରେଣୀ ବୁଡ଼ାଜାହାଜ ‘ଆଇଏନଏସ ଭାଗଶୀର’ରେ ଯାତ୍ରା କରିଛନ୍ତି। ଏହି ଐତିହାସିକ ଯାତ୍ରା ସମୟରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲଭାରୀ-ଶ୍ରେଣୀ ବୁଡ଼ାଜାହାଜରେ ଯାତ୍ରା କରିଥିବା ପ୍ରଥମ ରାଷ୍ଟ୍ରପତି ହୋଇ ଐତିହାସିକ ମାଇଲ୍ସ୍ଟୋନ୍ ସୃଷ୍ଟି କରିଛନ୍ତି। ତେବେ ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ଏକ ବୁଡ଼ାଜାହାଜରେ ଯାତ୍ରା କରିଥିଲେ। ଏହିପରି ଭାବେ ଭାରତର କୌଣସି ରାଷ୍ଟ୍ରପତିଙ୍କ ଦ୍ୱାରା ଏହା ଦ୍ୱିତୀୟ ବୁଡ଼ାଜାହାଜ ଯାତ୍ରା ରୂପେ ଗଣ୍ୟ ହେଉଛି।
INS ଭାଗଶୀରର ବୈଶିଷ୍ଟ୍ୟ:
ଆଇଏନଏସ ଭାଗଶୀର ପ୍ରୋଜେକ୍ଟ–୭୫ ଅଧୀନରେ ନିର୍ମିତ କଲଭାରୀ-ଶ୍ରେଣୀର ଏକ ଅତ୍ୟାଧୁନିକ ଡିଜେଲ-ବୈଦ୍ୟୁତିକ ଲଢୁଆ ବୁଡ଼ାଜାହାଜ। ଏହା ଭାରତୀୟ ନୌସେନାର ବୁଡ଼ାଜାହାଜ କ୍ଷମତାକୁ ଆହୁରି ସୁଦୃଢ଼ କରିବା ସହ ‘ଆତ୍ମନିର୍ଭର ଭାରତ’ ଓ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପର ଏକ ଶକ୍ତିଶାଳୀ ପ୍ରତୀକ ଭାବେ ପରିଚିତ।
ଏହି ବୁଡ଼ାଜାହାଜ ସମୁଦ୍ରତଳରେ ଗୁପ୍ତ ଅପରେସନ୍, ନିରୀକ୍ଷଣ, ଗୁପ୍ତ ସୂଚନା ସଂଗ୍ରହ ଓ ଶତ୍ରୁ ଜାହାଜ ଏବଂ ବୁଡ଼ାଜାହାଜ ବିରୋଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ବୋଲି ନୌସେନା ସୂତ୍ରରୁ ଜଣାପଡ଼ିଛି।





