ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ଓ ଭାଷ୍ୟକାର ନବଜ୍ୟୋତ ସିଂ ସିଦ୍ଧୁଙ୍କ ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ୍‌ ହୋଇଛି। ଏହି ପୋଷ୍ଟରେ ସିଦ୍ଧୁ ବିରାଟ କୋହଲିଙ୍କୁ ଟେଷ୍ଟ କ୍ରିକେଟକୁ ଫେରିବା ପାଇଁ ଆବେଦନ କରିଥିବା ଦେଖି ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ିଛନ୍ତି।

ସିଦ୍ଧୁ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଯଦି ଇଶ୍ୱର ତାଙ୍କର ଗୋଟିଏ ପ୍ରାର୍ଥନା ଶୁଣନ୍ତି, ତେବେ ସେ ବିରାଟ କୋହଲିଙ୍କୁ ଅବସରରୁ ଫେରି ଟେଷ୍ଟ କ୍ରିକେଟ ଖେଳୁଥିବା ଦେଖିବାକୁ ଚାହାନ୍ତି। ତାଙ୍କ ମତରେ, ୧୫୦ କୋଟି ଜନସଂଖ୍ୟା ଥିବା ଦେଶ ପାଇଁ ଏହାଠାରୁ ବଡ଼ ଖୁସି ଆଉ କିଛି ହୋଇପାରିବ ନାହିଁ। ସେ କୋହଲିଙ୍କ ଫିଟନେସ୍‌କୁ ୨୦ ବର୍ଷିଆ ଯୁବକଙ୍କ ସହ ତୁଳନା କରି ତାଙ୍କୁ ‘୨୪ କ୍ୟାରେଟ୍‌ ସୁନା’ ବୋଲି ବର୍ଣ୍ଣନା କରିଛନ୍ତି।

ଏହି ପୋଷ୍ଟ ପ୍ରକାଶ ପାଇବା ପରେ ପ୍ରଶଂସକମାନେ କମେଣ୍ଟ ମାଧ୍ୟମରେ ସିଦ୍ଧୁଙ୍କ ମତକୁ ସମର୍ଥନ କରୁଥିବା ଦେଖାଯାଇଛି। ଅନେକ ଫ୍ୟାନ୍‌ କୋହଲି ପୁଣି ଟେଷ୍ଟ କ୍ରିକେଟରେ ଫେରନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ, ୩୭ ବର୍ଷୀୟ ବିରାଟ କୋହଲି ଏହି ବର୍ଷ ଆରମ୍ଭରେ ଟେଷ୍ଟ କ୍ରିକେଟରୁ ହଠାତ୍‌ ଅବସର ନେଇଥିଲେ। ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଦଳ ଘୋଷଣା ପୂର୍ବରୁ ସେ ଏହି ସିଦ୍ଧାନ୍ତ ନେଇଥିଲେ। ଅଷ୍ଟ୍ରେଲିଆରେ ହୋଇଥିବା ବର୍ଡର–ଗାଭାସ୍କର ଟ୍ରଫି ତାଙ୍କର ଶେଷ ଟେଷ୍ଟ ସିରିଜ୍‌ ଥିଲା, ଯେଉଁଥିରେ ପର୍ଥ ଟେଷ୍ଟରେ ଶତକ ଅର୍ଜନ କରିଥିଲେ।

ତେବେ ଟେଷ୍ଟରୁ ଅବସର ନେଇଥିଲେ ବି କୋହଲି ସୀମିତ ଓଭର୍‌ ଫର୍ମାଟରେ ନିଜ ଫର୍ମ ଜାରି ରଖିଛନ୍ତି। ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରି ଦମଦାର ପ୍ରଦର୍ଶନ କରିଥିଲେ।