ଭୁବନେଶ୍ୱର: ଜିରୋ ନାଇଟ୍‌ ପାଳନକୁ ନେଇ ଭୁବନେଶ୍ୱର–କଟକ କମିଶନରେଟ୍‌ ପୁଲିସ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଛି। ୩୧ ଡିସେମ୍ବରରେ ନୂଆ ବର୍ଷ ସ୍ୱାଗତ ଉତ୍ସବ ସମୟରେ ଆଇନଶୃଙ୍ଖଳା, ଜନସୁରକ୍ଷା ଏବଂ ଟ୍ରାଫିକ୍‌ ବ୍ୟବସ୍ଥା ବଜାୟ ରଖିବା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

କମିଶନରେଟ୍‌ ପୁଲିସ ସ୍ପଷ୍ଟ କରିଛି ଯେ, ମଧ୍ୟରାତ୍ରି ପରେ କୌଣସି ମ୍ୟୁଜିକ୍‌ କିମ୍ବା ସାଉଣ୍ଡ ସିଷ୍ଟମ୍‌ ବଜାଇବାକୁ ଅନୁମତି ଦିଆଯିବ ନାହିଁ। ଖୋଲା ସ୍ଥାନରେ ଉତ୍ସବ ଆୟୋଜନକୁ ରାତି ୧୦ଟା ପର୍ଯ୍ୟନ୍ତ ଏବଂ ହୋଟେଲ୍‌ ଓ ଇନ୍‌ଡୋର୍‌ କାର୍ଯ୍ୟକ୍ରମକୁ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ମିଳିବ।

ସମସ୍ତ ପୁଲିସ ଥାନାକୁ ନୂଆ ବର୍ଷ ଉତ୍ସବ ଆୟୋଜନ କରୁଥିବା ହୋଟେଲ୍‌, କ୍ଲବ୍‌ ଓ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରି ନଜର ରଖିବାକୁ କୁହାଯାଇଛି। ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଉତ୍ସବ ସ୍ଥଳ, ରାସ୍ତା ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଘନଘନା ପାଟ୍ରୋଲିଂ କରାଯିବ।

ମଦ୍ୟପାନ କରି ଗାଡ଼ି ଚାଳନା, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଓ ରାସ୍ତା ଅବରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସତର୍କ କରିଛି। ରାସ୍ତାପାର୍ଶ୍ୱରେ ଉତ୍ସବ ପାଳନକୁ ସଂପୂର୍ଣ୍ଣ ମନା କରାଯାଇଛି।

୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ

ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ଜୋନ୍‌ଭିତ୍ତିକ ତଦାରଖ ବରିଷ୍ଠ ଅଧିକାରୀମାନେ କରିବେ। ଏଡିସିପି ସୁନାରାମ ଲେମ୍ବ୍ରେମଙ୍କୁ ଜୋନ୍‌ ୧ ଓ ୨, ସଞ୍ଜୟ କୁମାର ମହାପାତ୍ରଙ୍କୁ ଜୋନ୍‌ ୩, ଆରତୀ ଗିରିଙ୍କୁ ଜୋନ୍‌ ୪ ଏବଂ ସୁବ୍ରତ କୁମାରଙ୍କୁ ଜୋନ୍‌ ୫ ଓ ୬ର ଦାୟିତ୍ୱ ଦିଆଯାଇଛି।

୩୧ ଡିସେମ୍ବର ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ ଓ ବ୍ଲକିଂ କଡ଼ାକଡ଼ି କରାଯିବ। ଏହିପାଇଁ ରାଜଧାନୀର ୩୦ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇଛି ଓ ୧୭ଟି ସ୍ଥାନରେ ଚେକ୍‌ପୋଷ୍ଟ ସ୍ଥାପନ ହେବ।

ମାଷ୍ଟରକ୍ୟାଣ୍ଟିନ୍‌, କଳ୍ପନା ଛକ, ଖଣ୍ଡଗିରି ଓ ରସୁଲଗଡ଼ ଭଳି ସମ୍ବେଦନଶୀଳ ସ୍ଥାନରେ କ୍ୱିକ୍‌ ରେସ୍ପନ୍ସ ଟିମ୍‌ (QRT), ଷ୍ଟ୍ରାଇକିଂ ଫୋର୍ସ, ମୋବାଇଲ୍‌ ପାଟ୍ରୋଲିଂ ଓ ପିସିଆର୍‌ ପାଟ୍ରୋଲିଂକୁ ଅଧିକ କଡ଼ା କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି କମିଶନରେଟ୍‌ ପୁଲିସ ସୂଚନା ଦେଇଛି।