ନୂଆଦିଲ୍ଲୀ: ସଂଖ୍ୟାଲଘୁ ସୁରକ୍ଷା ପ୍ରସଙ୍ଗକୁ ନେଇ ପାକିସ୍ତାନ ତରଫରୁ ଭାରତ ବିରୋଧରେ ହୋଇଥିବା ଅଭିଯୋଗକୁ ଭାରତ ସରକାର କଡ଼ା ଭାଷାରେ ପ୍ରତ୍ୟାଖ୍ୟାନ କରିଛି। ଭାରତର ବୈଦେଶିକ ମନ୍ତ୍ରାଳୟ (MEA) ପାକିସ୍ତାନକୁ “ପ୍ରଥମେ ନିଜ ଘରର କଥା ଦେଖିବାକୁ” ପରାମର୍ଶ ଦେଇଛି।
ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି ବୋଲି ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟ ଯେଉଁ ବୟାନ ଜାରି କରିଥିଲା, ତାହାକୁ MEA ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି। ଏହି ପ୍ରସଙ୍ଗରେ ପାକିସ୍ତାନର ସଂଖ୍ୟାଲଘୁ ମାନବାଧିକାର ସମ୍ପର୍କିତ ଖରାପ ରେକର୍ଡକୁ ମଧ୍ୟ ଉଲ୍ଲେଖ କରାଯାଇଛି।
MEA ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବିଙ୍କ ବୟାନ ଭାରତର ଦୃଷ୍ଟିକୁ ଆସିଛି ଓ ଏହାର କୌଣସି ଆଧାର ନାହିଁ। ସେ କହିଛନ୍ତି, “ଯେଉଁ ଦେଶର ସଂଖ୍ୟାଲଘୁ ସୁରକ୍ଷା ପ୍ରସଙ୍ଗରେ ରେକର୍ଡ ନିଜେ କଥା କହୁଛି, ସେଠାରୁ ଆସୁଥିବା ଏଭଳି ମନ୍ତବ୍ୟକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ।”
ଜୟସୱାଲ ଆହୁରି କହିଛନ୍ତି ଯେ, ପାକିସ୍ତାନରେ ବିଭିନ୍ନ ଧର୍ମର ସଂଖ୍ୟାଲଘୁଙ୍କ ଉପରେ ନିୟମିତ ଓ ଗମ୍ଭୀର ନିର୍ଯାତନା ହେଉଥିବା କଥା ସାରା ବିଶ୍ୱ ଜାଣିଛି। ଅନ୍ୟଙ୍କ ଉପରେ ଆଙ୍ଗୁଠି ଇଙ୍ଗିତ କରିଲେ ମଧ୍ୟ, ସତ୍ୟକୁ ଲୁଚାଇ ରଖିହେବ ନାହିଁ ବୋଲି ସେ ସପ୍ଷ୍ଟ କରିଛନ୍ତି।





