ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କା ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜରେ ଦମଦାର ପ୍ରଦର୍ଶନ ସହ କ୍ଲିନ୍ ସୁଇପ୍ କରିଛି। ଆଜି ଖେଳାଯାଇଥିବା ପଞ୍ଚମ ଓ ଶେଷ ମ୍ୟାଚ୍‌ରେ ଭାରତ ୧୫ ରନରେ ଶ୍ରୀଲଙ୍କାକୁ ପରାଜିତ କରିଛି।

ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଧିନାୟିକା ହରମନପ୍ରୀତ କୌରଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୫ ରନ କରିଥିଲା। ହରମନପ୍ରୀତ ୬୮ ରନ କରିଥିବାବେଳେ ଅରୁନ୍ଧତୀ ରେଡ୍ଡି ୨୭ ଓ ଅମନଜୋତ କୌର ୨୧ ରନ ଯୋଗ କରିଥିଲେ।

୧୭୬ ରନର ଲକ୍ଷ୍ୟ ପଛା କରିବାକୁ ଯାଇ ଶ୍ରୀଲଙ୍କା ଦଳ ୨୦ ଓଭରରେ ୧୬୦ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ହସିନି ପେରେରା ୬୫ ରନ ଓ ଇମେଶା ଦୁଲାନି ୫୦ ରନ କରିଥିଲେ ମଧ୍ୟ, ମଧ୍ୟକ୍ରମ ବ୍ୟାଟ୍ସୱୁମେନଙ୍କ ବିଫଳତା ଦଳ ପାଇଁ ଅସୁବିଧା ସୃଷ୍ଟି କରିଥିଲା।

ଭାରତ ପକ୍ଷରୁ ଦିପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡି, ସ୍ନେହ ରାଣା, ବୈଷ୍ଣବୀ ଶର୍ମା, ଶ୍ରୀ ଚାରଣି ଓ ଅମନଜୋତ କୌର ଗୋଟିଏ ଲେଖାଏଁ ଉଇକେଟ ନେଇ ଦଳର ବିଜୟକୁ ମଜବୁତ କରିଥିଲେ।