ଛତ୍ରପୁର, ୩୦/୧୨: ଚଳିତ ବର୍ଷ ଜିଲାରେ ଧାନକିଣା ପ୍ରକ୍ରିୟାକୁ ସୁରୁଖୁରୁ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନେ ଯୋଗଦେଇ ଧାନକିଣା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ବୈଠକରେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିପରି ସମୟମାନ୍ୟ ଓ ନ୍ୟାୟସଂଗତ ଭାବେ କିଣାଯିବ, ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଥିଲେ। କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା, ସମସ୍ତ ମଣ୍ଡି ଖୋଲି ଧାନ କିଣା ଆରମ୍ଭ କରିବା ଉପରେ ସେ ଜୋର ଦେଇଥିଲେ।

ଏହା ସହ ପଞ୍ଜୀକୃତ ଚାଷୀ ଓ ଭାଗଚାଷୀଙ୍କ ତାଲିକା ସୋସାଇଟି ଏବଂ ପଞ୍ଚାୟତ ଘରେ ପ୍ରଦର୍ଶନ, ଜିଲାସ୍ତରରେ ଧାନକିଣା ପାଇଁ ନୋଡାଲ୍ ଅଫିସର ନିଯୁକ୍ତି, ସ୍ଥାୟୀ ମଣ୍ଡି ନିର୍ମାଣ ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତରେ କମ୍‌ରେ କମ୍‌ ୩ଟି ଧାନ କିଣା କେନ୍ଦ୍ର ଖୋଲିବା ଦାବି ରଖାଯାଇଥିଲା। ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଧାନ କିଣା ଜାରି ରଖିବା ଓ ଧାନ କିଣା କମିଟିରେ ପ୍ରତି ଗ୍ରାମର ୫ ଜଣ ଚାଷୀ ପ୍ରତିନିଧିଙ୍କୁ ସାମିଲ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଚାଷୀମାନେ ପ୍ରଥମେ ଭାଗଚାଷୀ ଓ ଛୋଟ ଚାଷୀଙ୍କ ଧାନ କିଣିବା, କଟନୀ-ଛଟନୀ ଘଟିଲେ ଏମଆଇ ଓ ସୋସାଇଟି ଇନ୍ସପେକ୍ଟରଙ୍କୁ ଉତ୍ତରଦାୟୀ କରିବା ଓ ସମସ୍ତ ମଣ୍ଡି ତୁରନ୍ତ ଖୋଲିବାକୁ ଦାବି କରିଥିଲେ।

ବୈଠକରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କ ସହ ଯୋଗାଣ ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହ ଚାଷୀ ନେତା ବିଜୟ ସ୍ୱାଇଁ, ପୂର୍ଣ୍ଣ ଦାଶ, ରାମମୋହନ ପଣ୍ଡା, ପଦ୍ମଚରଣ ସାହୁ, ରାଜକିଶୋର ବସ୍ତିଆ, ଶରତ ପଟ୍ଟନାୟକ ସହ ବହୁ ଚାଷୀ ମଧ୍ୟ ବୈଠକରେ ଯୋଗଦେଇଥିଲେ।