ଭୁବନେଶ୍ୱର: ନୂଆ ବର୍ଷରେ ରାଜ୍ୟର ଶାସନ-ପ୍ରଶାସନକୁ ଅଧିକ ଦକ୍ଷ, ସ୍ଵଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସେ ଏକ ୧୫-ଦଫା ନିର୍ଦ୍ଦେଶିକା ପ୍ରଦାନ କରିଛନ୍ତି, ଯାହାକୁ ପ୍ରଶାସନିକ ସୁଧାର ଦିଗରେ ଏକ ବଡ଼ ସଙ୍କେତ ଭାବେ ଦେଖାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶା ଭିଜନ ଡକ୍ୟୁମେଣ୍ଟରେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନ୍ବୟନ କରାଯିବ। ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ଗଢ଼ି ତୋଳିବା ସହ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ମଧ୍ୟରେ ସ୍ଥାନ ଦେବାକୁ ସରକାର ଲକ୍ଷ୍ୟ ଧରିଛନ୍ତି। ଏହି ଉଦ୍ଦେଶ୍ୟରେ ରାଜ୍ୟକୁ ‘ମିଶ୍ରିତ ଅର୍ଥନୀତି’ ମାର୍ଗରେ ଆଗେଇ ନେବାକୁ ଜୋର ଦିଆଯାଇଛି।
ଜ୍ଞାନ-ଭିତ୍ତିକ ଶିଳ୍ପ ଓ ସେବା କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବାବେଳେ, ସମସ୍ତ ଜିଲ୍ଲାପାଳଙ୍କୁ ଶିଳ୍ପାୟନ ସମ୍ପର୍କିତ ପ୍ରକ୍ରିୟାଗୁଡ଼ିକୁ ଫାଷ୍ଟଟ୍ରାକ୍ରେ ଆଗେଇ ନେବାକୁ କୁହାଯାଇଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମସ୍ତ ଖାଲି ସରକାରୀ ପଦବୀ ପୂରଣ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ପ୍ରଶାସନରେ ଦକ୍ଷ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ସେବାକୁ ପ୍ରାଥମିକତା ଦେବା ସହ ଦୁର୍ନୀତିଗ୍ରସ୍ତ, ଅପାରଗ ଓ ଦାୟିତ୍ୱହୀନ କର୍ମଚାରୀଙ୍କ ବିରୋଧରେ ସମ୍ବିଧାନର ଧାରା ୩୧୧ ଏବଂ ଓଡ଼ିଶା ସର୍ଭିସେସ ରୁଲ୍ ଅନୁଯାୟୀ କଠୋର ପଦକ୍ଷେପ, ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତି ପର୍ଯ୍ୟନ୍ତ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ମିଳିଛି।
ସମସ୍ତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ସମୀକ୍ଷା ଓ ମୂଲ୍ୟାୟନକୁ ବାଧ୍ୟତାମୂଳକ କରାଯାଇଛି। ଗବେଷଣା ଓ ନୀତି ମୂଲ୍ୟାୟନକୁ ସୁଦୃଢ଼ କରିବା ପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟଭାଷା ଭାବେ କଡାକଡି ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। ସଚିବାଳୟ ଠାରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସମସ୍ତ ନୋଟିସ, ବିଜ୍ଞପ୍ତି ଓ ପତ୍ରାଚାର କେବଳ ଓଡ଼ିଆରେ କରିବାକୁ କୁହାଯାଇଛି ଏବଂ ଏହା ଉଲ୍ଲଂଘନ କରିଲେ କାରଣ ଦର୍ଶାଇବାକୁ ପଡ଼ିବ।
ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟଧିକ ଗୁରୁତ୍ୱ ଦେଇ ସଚିବାଳୟରୁ ତହସିଲ୍ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ମିଳିଛି। ଏଥିପାଇଁ ସୋସିଆଲ ମିଡିଆର ସକ୍ରିୟ ବ୍ୟବହାର ସହ କ୍ଷେତ୍ର ପରିଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି। ପରିଦର୍ଶନ ପରେ ଦାଖଲ ହେବାକୁ ଥିବା ରିପୋର୍ଟକୁ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନର ଆଧାର କରାଯିବ।
ଏହି ୧୫-ଦଫା ନିର୍ଦ୍ଦେଶିକା ମାଧ୍ୟମରେ ରାଜ୍ୟ ପ୍ରଶାସନକୁ ଅଧିକ ଗତିଶୀଳ, ସ୍ଵଚ୍ଛ ଓ ଲୋକମୁଖୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ସଂକଳ୍ପ ସ୍ପଷ୍ଟ ହେଉଛି। ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ଏହି ନିର୍ଦ୍ଦେଶାବଳୀ କେତେଦୂର ପ୍ରଶାସନିକ ପରିବର୍ତ୍ତନ ଆଣିପାରିବ, ସେଥିପାଇଁ ସାଧାରଣରେ ଅପେକ୍ଷା ରହିଛି।





