ଭୁବନେଶ୍ବର: ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଥିବା ଯାନବାହାନ ମାଲିକମାନଙ୍କ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ଆସନ୍ତା ୧୦ ଜାନୁଆରି ୨୦୨୬ରୁ ଏମିତି ଯାନବାହାନଗୁଡ଼ିକୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍ ପ୍ରଦାନ କରାଯିବ ବୋଲି ଆଜି ଓଡ଼ିଶା ରାଜ୍ୟ ପରିବହନ ବିଭାଗ ସ୍ପଷ୍ଟ କରିଛି।
ବିଭାଗର ସୂଚନା ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)କୁ ଯାଇ ସବୁଜ ଷ୍ଟିକର୍ ଗ୍ରହଣ କରିପାରିବେ। ଏହି କାର୍ଯ୍ୟକୁ ସୁଚାରୁ ଭାବେ ସଂପାଦନ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ।
ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, କେବଳ ବୈଧ PUCC ଥିବା ଯାନବାହାନକୁ ହିଁ ଏହି ସବୁଜ ଷ୍ଟିକର୍ ଦିଆଯିବ। ଷ୍ଟିକର୍ ଜାରି ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ସୂଚନା ଓ VAHAN ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ।
ପରିବହନ ବିଭାଗର ଏହି ପଦକ୍ଷେପର ଲକ୍ଷ୍ୟ ହେଲା ପ୍ରଦୂଷଣ ନିୟନ୍ତ୍ରଣକୁ ଅଧିକ କଡାକଡିରେ ଲାଗୁ କରିବା ସହ ରାଜ୍ୟରେ ପରିବେଶ ସୁରକ୍ଷାକୁ ଆହୁରି ମଜବୁତ କରିବା।





