ନୂଆଦିଲ୍ଲୀ : ନୂଆବର୍ଷର ଆରମ୍ଭ ସହିତ ଆକାଶରେ ଦେଖାଦେଇଛି ଏକ ଅପୂର୍ବ ମହାଜାଗତିକ ଦୃଶ୍ୟ। ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଶୁକ୍ରବାର ଆକାଶରେ ଦୃଶ୍ୟମାନ ହୋଇ ଲୋକମାନଙ୍କୁ ମୁଗ୍ଧ କରିଛି। ସାଧାରଣ ପୂର୍ଣ୍ଣଚନ୍ଦ୍ର ତୁଳନାରେ ଅଧିକ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯାଉଥିବା ଏହି ଚନ୍ଦ୍ରକୁ ‘ସୁପରମୁନ୍’ କୁହାଯାଏ।
ପୌଷ ପୂର୍ଣ୍ଣିମା ଅବସରରେ ଦେଖାଦେଇଥିବା ଏହି ସୁପରମୁନ୍ କୋଲକାତା, ଉତ୍ତରପ୍ରଦେଶ ସହ ଦେଶର ଅନେକ ସହରରୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥିଲା। ସନ୍ଧ୍ୟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲୋକେ ଆକାଶକୁ ଚାହିଁ ଏହି ବିରଳ ଦୃଶ୍ୟର ଆନନ୍ଦ ଉଠାଇଥିଲେ। ବିଭିନ୍ନ ସହରରୁ ସୁପରମୁନ୍ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଇଛି।
ଏହି ସୁପରମୁନ୍କୁ ଶତାବ୍ଦୀର ବିରଳ ସଂଯୋଗ ବୋଲି କୁହାଯାଉଛି। ପ୍ରାୟ ୧୧୩ ବର୍ଷ ପରେ ଏଭଳି ଏକ ଦୁର୍ଲଭ ଖଗୋଳୀୟ ସଂଯୋଗ ସୃଷ୍ଟି ହୋଇଛି। ଆଜି ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ଅବସ୍ଥାରେ ଥିବାବେଳେ, ପୃଥିବୀ ମଧ୍ୟ ସୂର୍ଯ୍ୟଙ୍କ ସବୁଠୁ ନିକଟରେ ରହିଛି। ଏହି କାରଣରୁ ଆଜିର ପୂର୍ଣ୍ଣଚନ୍ଦ୍ର ସାଧାରଣ ଦିନ ତୁଳନାରେ ପ୍ରାୟ ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯାଇଛି।
ଖଗୋଳବିଦ୍ମାନଙ୍କ କହିବାନୁସାରେ, ଚନ୍ଦ୍ର ପୃଥିବୀକୁ ଅଣ୍ଡାକାର କକ୍ଷପଥରେ ପରିକ୍ରମା କରେ। ଚନ୍ଦ୍ର ଯେତେବେଳେ ପୃଥିବୀର ସବୁଠୁ ନିକଟ ଅବସ୍ଥାରେ ଥାଇ ପୂର୍ଣ୍ଣିମା ଦିନ ହୁଏ, ସେତେବେଳେ ସୁପରମୁନ୍ ଦୃଶ୍ୟମାନ ହୁଏ। ବର୍ତ୍ତମାନ ଚନ୍ଦ୍ର ଓ ପୃଥିବୀ ମଧ୍ୟର ଦୂରତା ପ୍ରାୟ ୩ ଲକ୍ଷ ୬୨ ହଜାର କିଲୋମିଟର ରହିଛି।
ଖୋଲା ଆକାଶ ଥିବା ସ୍ଥାନରୁ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ୫ଟା ୪୫ ରୁ ୬ଟା ମଧ୍ୟରେ ସବୁଠୁ ସୁନ୍ଦର ଭାବେ ଏହି ବିରଳ ସୁପରମୁନ୍ ଦେଖିବାକୁ ମିଳିଥିଲା।





