ଭୁବନେଶ୍ବର: ବର୍ଷ ୨୦୨୬ କ୍ରୀଡ଼ା ଜଗତ ପାଇଁ ଅତ୍ୟନ୍ତ ବ୍ୟସ୍ତବହୁଳ ହେବ। କ୍ରିକେଟ୍, ଫୁଟବଲ୍, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ଚେସ୍‌ ଠାରୁ ଆରମ୍ଭ କରି ଅନେକ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଆନ୍ତର୍ଜାତିକ ମଞ୍ଚରେ ମୈଦାନକୁ ଓହ୍ଲାଇବେ। ଏହି ବର୍ଷଟି ଭାରତ ପାଇଁ କେବଳ ଆହ୍ବାନ ନୁହେଁ, ଇତିହାସ ସୃଷ୍ଟି କରିବାର ଏକ ବଡ଼ ସୁଯୋଗ ମଧ୍ୟ ନେଇଆସୁଛି। ଏହାସହିତ ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ପାଇଁ କ୍ୱାଲିଫିକେସନ ପ୍ରକ୍ରିୟା ମଧ୍ୟ ଏହି ବର୍ଷରୁ ଆରମ୍ଭ ହେବ।

ଜାନୁଆରି–ମାର୍ଚ୍ଚ

ଜାନୁଆରି ୧୫ରୁ ୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟ୍ ଆରମ୍ଭ ହେବ, ଯାହା ଫେବ୍ରୁଆରି ୬ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୭ ଫେବ୍ରୁଆରିରୁ ୮ ମାର୍ଚ୍ଚ ପର୍ଯ୍ୟନ୍ତ ପୁରୁଷ ଟି-୨୦ ବିଶ୍ବକପ୍ ଅନୁଷ୍ଠିତ ହେବ, ଯେଉଁଠାରେ ଭାରତ ନିଜ ଖିତାବ ବଜାୟ ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ।

ଏହି ସମୟରେ ଅଷ୍ଟ୍ରେଲିଆନ ଓପନ୍ ଟେନିସ୍ ଏବଂ ମାର୍ଚ୍ଚରେ ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ହେବ, ଯେଉଁଥିରେ ପି.ଭି. ସିନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଏପ୍ରିଲ–ଜୁନ

ଏପ୍ରିଲରେ ସାଇପ୍ରସରେ କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱ ଚାମ୍ପିଅନ୍ ଡି. ଗୁକେଶ ସହ ରମେଶବାବୁ ପ୍ରଜ୍ଞାନନ୍ଦା, ବୈଶାଳୀ, କୋନେରୁ ହମ୍ପି ଓ ଦିବ୍ୟା ଦେଶମୁଖ ଅଂଶଗ୍ରହଣ କରିବେ।

ମଙ୍ଗୋଲିଆରେ ଏସୀୟ ବକ୍ସିଂ ଚାମ୍ପିଅନସିପ୍, ଅହମ୍ମଦାବାଦରେ ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଏବଂ ଥୋମାସ-ଉବର କପ୍ ବ୍ୟାଡମିଣ୍ଟନ ଅନୁଷ୍ଠିତ ହେବ। ଜୁନରେ ମହିଳା ଟି-୨୦ ବିଶ୍ବକପ୍ ସହ ଆଥଲେଟିକ୍ସ ଡାଇମଣ୍ଡ ଲିଗ୍ ଆରମ୍ଭ ହେବ, ଯେଉଁଠାରେ ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିବ।

ଏହି ସମୟରେ ଫ୍ରେଞ୍ଚ ଓପନ୍, ୱିମ୍ବଲଡନ୍ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଫିଫା ବିଶ୍ବକପ୍ (ଆମେରିକା, ମେକ୍ସିକୋ ଓ କାନାଡା) ମଧ୍ୟ ଅନୁଷ୍ଠିତ ହେବ।

ଜୁଲାଇ–ସେପ୍ଟେମ୍ବର

ଜୁଲାଇ–ଅଗଷ୍ଟରେ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ। ଅଗଷ୍ଟ ୧୭ରୁ ୨୩ ପର୍ଯ୍ୟନ୍ତ ଦିଲ୍ଲୀରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଏବଂ ୧୫ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ବେଲଜିୟମ–ନେଦରଲାଣ୍ଡସରେ ବିଶ୍ବକପ୍ ହକି ଅନୁଷ୍ଠିତ ହେବ।

ଅଗଷ୍ଟ ୨୨ରେ ଭୁବନେଶ୍ବରରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ଲେବଲ ମିଟ୍ ହେବ। ସେପ୍ଟେମ୍ବର ୧୯ରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଜାପାନରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ, ଯେଉଁଠାରେ ହକି ସ୍ବର୍ଣ୍ଣ ବିଜେତା ଦଳକୁ ସିଧାସଳଖ ଅଲିମ୍ପିକ୍ସ ଟିକେଟ ମିଳିବ।

ଅକ୍ଟୋବର–ଡିସେମ୍ବର

ବର୍ଷର ଶେଷ ତିନି ମାସରେ ବାହାରିନରେ ବିଶ୍ୱ କୁସ୍ତି ଚାମ୍ପିଅନସିପ୍, ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ୍ ଏବଂ ଦୋହାରେ ଆଇଏସଏସଏଫ୍ ସୁଟିଂ ବିଶ୍ୱ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ। ଡିସେମ୍ବରରେ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ସହ ୨୦୨୬ କ୍ରୀଡ଼ା ବର୍ଷର ସମାପ୍ତି ହେବ।