ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଶୀତଲହରୀର ପ୍ରଭାବ ଆହୁରି ତୀବ୍ର ହୋଇଛି। କେବଳ କନ୍ଧମାଳର ଦାରିଙ୍ଗବାଡ଼ି ନୁହେଁ, ରାଜଧାନୀ ଭୁବନେଶ୍ୱର ସହ ଅନ୍ୟାନ୍ୟ ସହରଗୁଡ଼ିକରେ ମଧ୍ୟ ପ୍ରବଳ ଥଣ୍ଡା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶୀତର ତୀବ୍ରତା ଏପରି ଯେ, ରାଜ୍ୟର ଉଷ୍ଣ ସହର ଭାବେ ପରିଚିତ ଝାରସୁଗୁଡ଼ାରେ ୭୨ ବର୍ଷର ତାପମାତ୍ରା ରେକର୍ଡ ଭାଙ୍ଗିଛି। ସୋମବାର ଓ ମଙ୍ଗଳବାର ରାତିରେ ଏଠାରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରି ସେଲସିଅସ୍ ମଧ୍ୟରେ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ସପ୍ତାହ ମଧ୍ୟରେ ଶୀତରୁ ବିଶେଷ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। ଆଜି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୨୪ ଡିଗ୍ରି ସେଲସିଅସ୍ ଏବଂ କଟକରେ ୨୩ ଡିଗ୍ରି ରେକର୍ଡ ହୋଇଛି। ଆଜି ରାତି ସହ ଆସନ୍ତାକାଲି ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସତର୍କ କରାଯାଇଛି।
ଜାନୁଆରି ୭ ପାଇଁ ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ:
ଝାରସୁଗୁଡ଼ାରେ ୫ ଡିଗ୍ରି, ରାଉରକେଲାରେ ୬ ଡିଗ୍ରି, ସୁନ୍ଦରଗଡ଼ରେ ୭ ଡିଗ୍ରି ଏବଂ ଫୁଲବାଣୀରେ ୮ ଡିଗ୍ରି ତାପମାତ୍ରା ରହିବାର ଆକଳନ କରାଯାଇଛି। ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁବର୍ଣ୍ଣପୁର ଓ ରାୟଗଡ଼ାରେ ୯ ଡିଗ୍ରି, ସମ୍ବଲପୁର, ବାରିପଦା, ଭବାନୀପାଟଣା, ନବରଂଗପୁର, ଜଗତସିଂହପୁର ଓ ବାଲେଶ୍ୱରରେ ୧୦ ଡିଗ୍ରି ତାପମାତ୍ରା ରହିପାରେ। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସର୍ବନିମ୍ନ ୧୨ ଡିଗ୍ରି, ପୁରୀରେ ୧୪ ଡିଗ୍ରି ଓ ଗୋପାଳପୁର-ଛତ୍ରପୁରରେ ୧୬ ଡିଗ୍ରି ତାପମାତ୍ରା ଆକଳନ କରାଯାଇଛି।
ଶୀତର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ଦିନଭର ଗରମ ପୋଷାକ ପରିଧାନ କରୁଥିବା ଦେଖାଯାଉଛି। ବିଶେଷକରି ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନେ ଶୀତରେ ଅଧିକ ପ୍ରଭାବିତ ହେଉଛନ୍ତି। ଗ୍ରାମାଞ୍ଚଳରେ ଲୋକେ କାଠନିଆଁ ପାଖରେ ଏକତ୍ରିତ ହୋଇ ଶୀତରୁ ଆଶ୍ବସ୍ତି ନେଉଥିବା ବେଳେ, ସାଧାରଣ ଜୀବନ ଉପରେ ଶୀତର ପ୍ରଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି।





