ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଫରାଲ୍ ହସପିଟାଲ୍ ଏମ୍କେସିଜି ବଡ଼ ଡାକ୍ତରଖାନାରେ ଆଜି ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ସେବା ବିଘ୍ନ ଘଟି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ଓଟିରେ ହଠାତ୍ ବିଦ୍ୟୁତ ଚାଲିଯିବାରୁ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା ଏବଂ ଅନ୍ଧାର ମଧ୍ୟରେ ରୋଗୀସେବା କରାଯିବାକୁ ବାଧ୍ୟ ହୋଇଥିଲେ ଚିକିତ୍ସକମାନେ।
ସୂଚନା ଅନୁସାରେ, ସକାଳ ସମୟରେ ଜଣେ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଓଟିକୁ ନିଆଯାଇଥିଲା। ଅସ୍ତ୍ରୋପଚାର ଚାଲିଥିବା ବେଳେ ହଠାତ୍ ବିଦ୍ୟୁତ ସେବା ବ୍ୟାଘାତ ଘଟିଥିଲା। ବିକଳ୍ପ ବ୍ୟବସ୍ଥା ଭାବେ ଥିବା ୟୁପିଏସ୍ ମଧ୍ୟ କାମ କରିନଥିବାରୁ କିଛି ମିନିଟ୍ ଧରି ଓଟି ଅନ୍ଧାରରେ ରହିଥିଲା। ପରେ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ ହେବା ପରେ ଅସ୍ତ୍ରୋପଚାର ପ୍ରକ୍ରିୟା ସାଧାରଣ ହୋଇଥିବା ଜଣାପଡ଼ିଛି।
ସାଧାରଣତଃ ବିଦ୍ୟୁତ କାଟ ହେଲେ ତୁରନ୍ତ ଡିଜି ସେଟ୍ ଚାଲୁ କରି ବିଦ୍ୟୁତ ଯୋଗାଣ କରାଯାଏ ଏବଂ ଏହି ମଧ୍ୟବର୍ତ୍ତୀ ସମୟରେ ୟୁପିଏସ୍ ମାଧ୍ୟମରେ ଓଟିକୁ ବିଦ୍ୟୁତ ଯୋଗାଣ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି ଘଟଣାରେ ଦୁହେଁ ବ୍ୟବସ୍ଥା ବିଫଳ ହୋଇଥିବାରୁ ରୋଗୀ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି।
ରକ୍ଷଣାବେକ୍ଷଣର ଅଭାବ
ଅଭିଯୋଗ ଅନୁସାରେ, ଦୀର୍ଘ ବର୍ଷ ଧରି ସର୍ଜରି ବିଭାଗ କୋଠାରେ ଲାଗିଥିବା ୟୁପିଏସ୍ର ଯଥାଯଥ ରକ୍ଷଣାବେକ୍ଷଣ କରାଯାଇନାହିଁ। ପୂର୍ବରୁ ମଧ୍ୟ ବିଦ୍ୟୁତ ସମସ୍ୟା ଯୋଗୁଁ କିଛି ଘଣ୍ଟା ଧରି ସର୍ଜରି କୋଠା ଅନ୍ଧାରରେ ରହିଥିବା ଘଟଣା ସାମ୍ନାକୁ ଆସିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏମ୍କେସିଜି ବଡ଼ ଡାକ୍ତରଖାନାର ସୁନାମ କ୍ଷୁଣ୍ଣ ହେଉଥିବା ନେଇ ରୋଗୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।





