କନ୍ଧମାଳ (ଘୁ. ଉଦୟଗିରି): କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ଅଞ୍ଚଳରେ ଶୀତ ତୀବ୍ରତା କମିବାର ନାଁ ନେଉନି। ଚଳିତ ବର୍ଷ ଜାଡର ପ୍ରକୋପ ଅସାଧାରଣ ଭାବେ ବଢ଼ିଥିବା ବେଳେ ହାଡ଼ଭଙ୍ଗା ଶୀତରେ ସାରା ଅଞ୍ଚଳ ଥରହର ହେଉଛି। ଗତ ସପ୍ତାହ ଧରି ପାରଦ ଲାଗାତାର ତଳମୁହାଁ ହେବା ସହ ଅସହ୍ୟ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିବାବେଳେ ଆଜି ୩.୨ ଡିଗ୍ରି ରହିଛି।
ଆଜି ପାଗରେ କିଛି ପରିବର୍ତ୍ତନ ଦେଖାଦେଇଛି। ଦିନରେ କୋହଲା ଓ ମେଘୁଆ ପରିବେଶ ସହ ଥଣ୍ଡା ପବନ ବହିବାରୁ ଦିନବେଳେ ମଧ୍ୟ ପ୍ରବଳ ଜାଡ ଅନୁଭୂତ ହେଉଛି। ଦିନକୁ ଦିନ ଶୀତ ବଢ଼ୁଥିବାରୁ ସାଧାରଣ ଲୋକ ତ୍ରାହିତ୍ରାହି ଡାକୁଥିବା ବେଳେ ବୟୋବୃଦ୍ଧମାନେ ଆହୁରି କେତେଦିନ ଏଭଳି ଶୀତ ସହିବାକୁ ପଡ଼ିବ ବୋଲି ଚିନ୍ତା ପ୍ରକାଶ କରୁଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ଦଶ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ଜାରି ରହିବ।
ବରିଷ୍ଠ ନାଗରିକମାନେ କହିଛନ୍ତି ଯେ, ଜାନୁଆରି ମାସରେ ଏଭଳି ତୀବ୍ର ଶୀତ ପୂର୍ବରୁ କେବେ ଅନୁଭବ ହୋଇନଥିଲା। ଚଳିତ ବର୍ଷ ଯେପରି ଅତ୍ୟଧିକ ବର୍ଷା ହୋଇଥିଲା, ସେହିପରି ଭାବେ ଶୀତ ମଧ୍ୟ ଏବେ ତାହାର ଭୟାବହତା ଦେଖାଉଛି। ଦିନେ ସୂର୍ଯ୍ୟଙ୍କ ଉତ୍ତାପ ଏବଂ ରାତିରେ ନିଆଁର ଭରସାରେ ଲୋକେ ଦିନରାତି କାଟୁଛନ୍ତି। ଅସହ୍ୟ ଶୀତରେ ଗରିବ ଓ ଅସହାୟ ଲୋକ ଅଧିକ କଲବଲ ହେଉଛନ୍ତି।
ସ୍ଥାନୀୟ ସହରରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରି ସେଲସିଅସ୍ ରହୁଥିବାବେଳେ ପାହାଡ଼, ପର୍ବତ ଓ ଜଙ୍ଗଲ ଘେରା ମୁକୁଲିଙ୍ଗିଆ, ଗୁନ୍ଦାବାଜୁ, ରେଟୁଡି, ଡଡାପଡ଼ା, ଲାବୋରି, ଲଏରେଜୁ ଭଳି ଦୁର୍ଗମ ଅଞ୍ଚଳରେ ତାପମାତ୍ରା ୧ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ଖସିଥିବା ଅନୁମାନ କରାଯାଉଛି।
ଯାତ୍ରୀଙ୍କ ଯନ୍ତ୍ରଣା ବଢ଼ିଲା
ଆଜି ବହୁ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ପଡ଼ିଆ ଓ ପାଳଗଦା ଉପରେ ତୁଷାର ଜମିଥିବା ସହ ଲୋକେ ହାତରେ ବରଫ ଧରିଥିବା ଦୃଶ୍ୟ ମଧ୍ୟ ଦେଖାଯାଇଛି। ଗରମ ପୋଷାକ ବିନା ଚଳାଚଳ କରିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି। ଝାଟିମାଟି ଘରେ ରହୁଥିବା ଗରିବ ପରିବାରମାନେ ରାତିସାରା ନିଆଁ ଜାଳି ତାହାର ଭରସାରେ ରାତି କାଟୁଛନ୍ତି।
ସହରରେ ବସ୍ଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମଗୃହର ଅଭାବ ଯୋଗୁଁ ଯାତ୍ରୀମାନେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ଥଣ୍ଡା କାକର ମଧ୍ୟରେ ବସ୍କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଗାନ୍ଧୀ ଛକରେ ରାତି ସାରା ଲୋକେ ପ୍ରବଳ ଜାଡ ସହି ବସ୍ ଅପେକ୍ଷା କରୁଥିବା ଦେଖାଯାଉଛି। ଶୀତ ବଢ଼ିବା ସହିତ ଯାତ୍ରୀଙ୍କ ଯନ୍ତ୍ରଣା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।





