ଭଦୋଦରା: ଗୁଜୁରାଟର ଭଦୋଦରାସ୍ଥିତ କୋତମ୍ବି ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରି ସିରିଜ୍ରେ ଶୁଭାରମ୍ଭ କରିଛି। ୩୦୧ ରନ୍ର ଚ୍ୟାଲେଞ୍ଜିଂ ଲକ୍ଷ୍ୟକୁ ପଛୁଆ କରି ଭାରତ ୪୯ ଓଭରରେ ୬ ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରିଥିଲା।
ଭାରତୀୟ ପାଳିରେ ବିରାଟ କୋହଲି ସର୍ବାଧିକ ୯୩ ରନ୍ କରି ଦଳକୁ ଦୃଢ଼ ଭିତ୍ତି ପ୍ରଦାନ କରିଥିଲେ। ମ୍ୟାଚ୍ର ରୋମାଞ୍ଚକର ଶେଷ ପର୍ଯ୍ୟାୟରେ ୪୯ତମ ଓଭର ଆରମ୍ଭ ସମୟରେ ଭାରତକୁ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ ଥିଲା। ଏହି ସମୟରେ କେଏଲ ରାହୁଲ ଓଭରର ଚତୁର୍ଥ ଓ ପଞ୍ଚମ ବଲ୍ରେ ଲଗାତାର ଦୁଇଟି ଚୌକା ମାରି ସ୍କୋରକୁ ସମାନ କରିଥିଲେ। ପରେ ଶେଷ ବଲ୍ରେ ଏକ ଛକା ମାରି ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ରାହୁଲ ୨୧ ବଲ୍ରୁ ୨୯ ରନ୍ କରି ଅପରାଜିତ ରହିଥିଲେ।
ନ୍ୟୁଜିଲାଣ୍ଡର ପାଳି:
ଟସ୍ ପରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୦ ରନ୍ କରିଥିଲା। ଡେଭନ୍ କନୱେ ଓ ହେନ୍ରି ନିକୋଲ୍ସ ପ୍ରଥମ ୱିକେଟ୍ ପାଇଁ ଶତକୀୟ ଭାଗୀଦାରି କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ନିକୋଲ୍ସ ୬୯ ବଲ୍ରେ ୬୨ ରନ୍ କରି ଆଉଟ୍ ହୋଇଥିବାବେଳେ, କନୱେ ୬୭ ବଲ୍ରେ ୫୭ ରନ୍ କରି ହର୍ଷିତ ରାଣାଙ୍କ ଶିକାର ହୋଇଥିଲେ।
ତା’ପରେ ୱିଲ୍ ୟଙ୍ଗ (୧୨) ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ଓ ଗ୍ଲେନ୍ ଫିଲିପ୍ସ (୧୨) କୁଲଦୀପ ଯାଦବଙ୍କ ବୋଲିଂରେ ବିଦାୟ ନେଇଥିଲେ। ଏକ ପାର୍ଶ୍ୱରେ ୱିକେଟ୍ ପତନ ହେଉଥିବାବେଳେ, ଡାରିଲ୍ ମିଚେଲ୍ ଅନ୍ୟ ପାର୍ଶ୍ୱରେ ଇନିଂସକୁ ସମ୍ଭାଳିଥିଲେ। ସେ ୭୧ ବଲ୍ରେ ୮୪ ରନ୍ କରିଥିଲେ, ଯାହାରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ସେ ୨୮୧ ରନ୍ରେ ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ।
ଶେଷରେ କ୍ରିସ୍ କ୍ଲାର୍କ ୧୭ ବଲ୍ରେ ୨୪ ରନ୍ର ତ୍ୱରିତ ପାଳି ଖେଳି ନ୍ୟୁଜିଲାଣ୍ଡକୁ ୩୦୦ ରନ୍ରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଓ ହର୍ଷିତ ରାଣା ପ୍ରତ୍ୟେକ ୨ଟି କରି ୱିକେଟ୍ ନେଇଥିବାବେଳେ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ଦାବି କରିଥିଲେ।





