ତେଲ୍ ଅଭିଭ୍: ଇରାନ ଉପରେ ଯେକୌଣସି ସମୟରେ ଆମେରିକାର ସାମରିକ ଆକ୍ରମଣ ହେବାର ସମ୍ଭାବନାକୁ ନେଇ ଇସ୍ରାଏଲ ହାଇ ଆଲର୍ଟରେ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ଦିନ ଧରି ବାରମ୍ବାର ଇରାନ ବିରୋଧରେ କଠୋର ସାମରିକ ପଦକ୍ଷେପ ନେବାକୁ ଧମକ ଦେଇଆସୁଛନ୍ତି। ସେ ଇରାନୀ ଶାସକମାନଙ୍କୁ ପ୍ରତିବାଦକାରୀଙ୍କ ଉପରେ ବଳ ପ୍ରୟୋଗ ନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯଦି ଇରାନରେ ପ୍ରତିବାଦକାରୀଙ୍କ ଉପରେ ହିଂସା ହୁଏ, ତେବେ ଆମେରିକା ସେମାନଙ୍କୁ ସାହାଯ୍ୟ କରିବାକୁ ପଛୁଆ ହେବ ନାହିଁ। ଏହାର ପ୍ରତିକ୍ରିୟାରେ ଇରାନ ମଧ୍ୟ କଠୋର ଭାଷାରେ ଧମକ ଦେଇଛି। ଇରାନୀ ନେତୃତ୍ୱ କହିଛି, ଯଦି ଆମେରିକା ହସ୍ତକ୍ଷେପ କରେ, ତେବେ ଇରାନ ଆମେରିକୀୟ ସେନା ଘାଟି ସହ ଆମେରିକା ଓ ଇସ୍ରାଏଲ ସହ ସଂପୃକ୍ତ ଲକ୍ଷ୍ୟବସ୍ତୁ ଉପରେ ଆକ୍ରମଣ କରିବ।
ଏହି ପରିସ୍ଥିତି ମଧ୍ୟରେ ଗତରାତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ଫୋନ୍ରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଜଣେ ଆମେରିକୀୟ ଅଧିକାରୀ ଉଭୟଙ୍କ ଆଲୋଚନାକୁ ସ୍ୱୀକାର କରିଥିଲେ ମଧ୍ୟ କେଉଁ କେଉଁ ବିଷୟ ଉପରେ କଥା ହୋଇଥିଲା, ସେଥିରେ ସ୍ପଷ୍ଟତା ଦେଇନାହାନ୍ତି।
ଇରାନର ଆଣବିକ କାର୍ଯ୍ୟକ୍ରମ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିକାଶକୁ ନେଇ ଇସ୍ରାଏଲ ଦୀର୍ଘଦିନ ଧରି ଚିନ୍ତିତ ରହିଛି। ଏହି ମୁଦ୍ଦାକୁ କେନ୍ଦ୍ର କରି ଦୁଇ ଚିରଶତ୍ରୁ ଦେଶ ମଧ୍ୟରେ ତଣାତଣି ଆହୁରି ବଢ଼ିଛି। ତଥାପି, ଇସ୍ରାଏଲ ପକ୍ଷରୁ ସରାସରି ଇରାନ ଉପରେ ଆକ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରାଯାଇନାହିଁ।
ଏକ ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଯଦି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରେ, ତେବେ ତାହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ସେ ଆହୁରି କହିଛନ୍ତି ଯେ, ଇରାନ ଭିତରେ ଚାଲିଥିବା ବିକାଶକ୍ରମ ଉପରେ ଇସ୍ରାଏଲ ସତର୍କ ନଜର ରଖିଛି।





