ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପୂର୍ବତନ ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହା ବିକାଶ ଆଘାଡି (ଏମଭିଏ) ସରକାର ଶାସନକାଳରେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଥିଲା। ପୂର୍ବତନ ଡିଜିପି ରଶ୍ମି ଶୁକ୍ଲାଙ୍କ ଦ୍ୱାରା ଦାଖଲ ହୋଇଥିବା ଏସଆଇଟି ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ବୋଲି ଫଡନାଭିସ୍ କହିଛନ୍ତି।
ସୂଚନା ଅନୁସାରେ, ଡିଜିପି ରଶ୍ମି ଶୁକ୍ଲା ଅବସର ନେବା ପୂର୍ବରୁ, ଜାନୁଆରି ୩ ତାରିଖରେ ଗୃହ ବିଭାଗ ନିକଟରେ ଏହି ରିପୋର୍ଟ ଦାଖଲ କରିଥିଲେ। ଏସଆଇଟି ତଦନ୍ତରେ ପ୍ରକାଶ ପାଇଛି ଯେ, ତତ୍କାଳୀନ ଡିଜିପି ସଞ୍ଜୟ ପାଣ୍ଡେ, ଡେପୁଟି ପୁଲିସ କମିସନର ଲକ୍ଷ୍ମୀକାନ୍ତ ପାଟିଲ ଏବଂ ଆସିଷ୍ଟାଣ୍ଟ କମିସନର ସର୍ଦ୍ଦାର ପାଟିଲ ୨୦୧୬ ମସିହାରେ ଥାନେ ନଗର ପୁଲିସ ଥାନାରେ ପଞ୍ଜିକୃତ ଏକ ବଟି ଆଦାୟ ମାମଲାକୁ ପୁନଃ ଖୋଲି, ସେତେବେଳେ ବିରୋଧୀ ଦଳ ନେତା ଥିବା ଦେବେନ୍ଦ୍ର ଫଡନାଭିସ୍ ଏବଂ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିଲେ।
ସୂତ୍ର ଅନୁଯାୟୀ, ଏସଆଇଟି ରିପୋର୍ଟର ଆଧାରରେ ରଶ୍ମି ଶୁକ୍ଲା ଉକ୍ତ ତିନିଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ (ଏଫ୍ଆଇଆର୍) ରୁଜୁ କରିବାକୁ ସୁପାରିସ କରିଛନ୍ତି।
ଏନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଛନ୍ତି ଯେ, ଏମଭିଏ ସରକାର ଶାସନ ସମୟରେ ପ୍ରତିଶୋଧ ରାଜନୀତି ଚାଲିଥିଲା ଏବଂ ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ମିଥ୍ୟା ମାମଲାରେ ଜଡ଼ାଇବାକୁ ପ୍ରୟାସ କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ବ୍ୟବସାୟୀ ଶ୍ୟାମସୁନ୍ଦର ଅଗ୍ରୱାଲ ଓ ତାଙ୍କ ପୂର୍ବତନ ବ୍ୟବସାୟିକ ସହଭାଗୀ ରିଅଲ୍ ଇଷ୍ଟେଟ୍ ଡେଭଲପର ସଞ୍ଜୟ ପୁନାମିୟାଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ଘଟଣାକୁ ନେଇ ଥାନେ ନଗର ପୁଲିସ ଥାନାରେ ମାମଲା ରୁଜୁ ହୋଇଥିଲା ଏବଂ ୨୦୧୭ ମସିହାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିଲା।
ଅଭିଯୋଗ ଅନୁସାରେ, ଏମଭିଏ ସରକାର ସମୟରେ ଏହି ପୁରୁଣା ମାମଲାକୁ ଆଧାର କରି ୨୦୨୧ ରୁ ୨୦୨୪ ଜୁନ୍ ମଧ୍ୟରେ ପୁନାମିୟାଙ୍କୁ ହଇରାଣ କରାଯାଇଥିଲା। ପରେ ୨୦୨୪ ମସିହାରେ ସଞ୍ଜୟ ପାଣ୍ଡେ ସହ ଅନ୍ୟ ସାତଜଣଙ୍କ ବିରୋଧରେ ବଟି ଆଦାୟ ମାମଲା ରୁଜୁ ହୋଇଥିଲା।
ବିଜେପି ନେତା ଓ ବିଧାନସଭା ସଦସ୍ୟ ପ୍ରବୀଣ ଡାରେକର ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଏହା ଫଡନାଭିସ୍ ଏବଂ ସିନ୍ଦେଙ୍କୁ ରାଜନୈତିକ ଭାବେ ଫସାଇବା ପାଇଁ ଏକ ସଂଗଠିତ ଷଡ଼ଯନ୍ତ୍ର ଥିଲା।





