ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ଶିଖର ଧାୱନ ପୁଣିଥରେ ଜୀବନର ନୂଆ ପର୍ଯ୍ୟାୟକୁ ପ୍ରବେଶ କରିବାକୁ ଯାଉଛନ୍ତି। ପ୍ରେମିକା ସୋଫି ସାଇନ୍‌ଙ୍କ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଖବର ସୋମବାର ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସାର୍ବଜନୀନ ହୋଇଛି। ଏହି ଖୁସିର ମୁହୂର୍ତ୍ତକୁ ଉଭୟେ ନିଜ-ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରି ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି।

ସୋଫି ତାଙ୍କ ଇନଷ୍ଟାଗ୍ରାମରେ ଧାୱନଙ୍କ ହାତ ଉପରେ ନିଜ ହାତ ରଖି ନିର୍ବନ୍ଧ ମୁଦି ପିନ୍ଧିଥିବା ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ପଛପଟେ ହୃଦୟ ଆକୃତିର ଫୁଲର ସଜାଣି ଦେଖିବାକୁ ମିଳୁଛି। ଫଟୋ ସହ ‘ମାଇ ଲାଇଫ୍‌’ ଭାବେ କ୍ୟାପସନ୍ ଲେଖି ସେ ନିର୍ବନ୍ଧକୁ ସ୍ୱୀକାର କରିଛନ୍ତି।

ଏହାସହ ଶିଖର ଧାୱନ ମଧ୍ୟ ରସିକିଆ ଏବଂ ଭାବପ୍ରବଣ ଶୈଳୀରେ ନିର୍ବନ୍ଧ ଖବର ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଏକାଠି ଖୁସି ରହିବା, ସ୍ୱପ୍ନ ଦେଖିବା ଓ ସବୁକିଛି ପାଇଁ ପ୍ରେୟସୀଙ୍କୁ ଅଶେଷ ଧନ୍ୟବାଦ। ସେଥିସହିତ ନିର୍ବନ୍ଧ ଓ ଆଗାମୀ ଜୀବନ ପାଇଁ ସମସ୍ତଙ୍କ ଆଶୀର୍ବାଦ ମଧ୍ୟ ଚାହିଁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଧାୱନ ୨୦୧୧ ମସିହାରେ ଆୟେଶା ବାନାର୍ଜୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ‘ଜୋରାବର’ ନାମରେ ଗୋଟିଏ ୧୧ ବର୍ଷର ପୁଅ ଅଛି। ଦୀର୍ଘଦିନ ଧରି ମନୋମାଳିନ୍ୟ ପରେ ୨୦୨୩ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ପରେ ଧାୱନ ସୋଫି ସାଇନ୍‌ଙ୍କ ସହ ସମ୍ପର୍କରେ ଆସିଥିବା କଥା ଗତ ମେ ମାସରେ ସ୍ୱୀକାର କରିଥିଲେ।

ଗତ ଚାମ୍ପିଅନ୍ସ ଟ୍ରଫି ସମୟରେ ଧାୱନ ଓ ସୋଫିଙ୍କୁ ଏକାଠି ସମୟ କାଟୁଥିବା ଦୃଶ୍ୟ ନେଇ ବହୁ ଚର୍ଚ୍ଚା ହୋଇଥିଲା। ସୋଫି ଜଣେ ଅର୍ଥନୀତିକ ପରାମର୍ଶଦାତା ହୋଇଥିବାବେଳେ, କ୍ରିକେଟ୍‌ରୁ ଅବସର ପରେ ଧାୱନ ବିଭିନ୍ନ କ୍ରିକେଟ୍‌ ମ୍ୟାଚ୍‌ର ଧାରାବିବରଣୀକାର ଭାବେ କାମ କରୁଛନ୍ତି। ଉଭୟଙ୍କର ସର୍ଟ ଭିଡିଓ ଓ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ହେଉଛି।