ରାୟପୁର: ଛତିଶଗଡ଼ରେ ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍‌ ଶିକ୍ଷାରେ ଏକ ନୂଆ ଅଧ୍ୟାୟ ଯୋଗ ହୋଇଛି। ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବିଦ୍ୟାଳୟ (CSVTU) ଅଧୀନରେ ଆସୁଥିବା ୪୨ଟି ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍‌ କଲେଜରେ ଏବେ ଭାଗବତ ଗୀତା ଅଧ୍ୟୟନ କରାଯିବ। ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ଏହି ପାଠ୍ୟକ୍ରମକୁ ଗୋଟିଏ ସେମେଷ୍ଟର ପାଇଁ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଉଦ୍ଦେଶ୍ୟରେ ଛତିଶଗଡ଼ର ବୈଷୟିକ ଶିକ୍ଷାମନ୍ତ୍ରୀ ଗୁରୁ ଖୁସୱନ୍ତ ସାହେବଙ୍କ ଉପସ୍ଥିତିରେ ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଇସ୍କନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି।

ପାଠ୍ୟକ୍ରମରେ କେବଳ ଧାର୍ମିକ ବା ସିଦ୍ଧାନ୍ତମୂଳକ ଅଂଶ ନୁହେଁ, ଜୀବନମୂଲ୍ୟ, ନୈତିକ ଶିକ୍ଷା, ନେତୃତ୍ୱ ଦକ୍ଷତା, ଆତ୍ମନିୟନ୍ତ୍ରଣ ଓ ସକାରାତ୍ମକ ଚିନ୍ତାଧାରା ଭଳି ବିଷୟବସ୍ତୁକୁ ମଧ୍ୟ ସାମିଲ କରାଯିବ। ଇସ୍କନ ପକ୍ଷରୁ ପ୍ରଶିକ୍ଷିତ ଶିକ୍ଷକମାନେ ସିଧାସଳଖ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ।

ବୈଷୟିକ ଶିକ୍ଷାମନ୍ତ୍ରୀ ଗୁରୁ ଖୁସୱନ୍ତ ସାହେବ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ହେଉଛି ବିଦ୍ୟାର୍ଥୀଙ୍କୁ କେବଳ ବୈଷୟିକ ଦକ୍ଷତାରେ ସୀମିତ ରଖିବା ନୁହେଁ, ବରଂ ସେମାନଙ୍କୁ ନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବେ ସଶକ୍ତ କରି ଜୀବନରେ ସନ୍ତୁଳନ ରଖିବାକୁ ପ୍ରେରଣା ଦେବା।

ଏହି ଅବସରରେ CSVTU ର କୁଳପତି ଡ. ଅରୁଣ ଅରୋରା କହିଛନ୍ତି ଯେ, ଇସ୍କନ ସହ ହୋଇଥିବା ଏହି ଚୁକ୍ତି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।