ରାଜକୋଟ: ରାଜକୋଟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହା ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୧-୧ ସମତୁଳ ହୋଇଯାଇଛି। ଫଳରେ ୧୮ ତାରିଖରେ ଇନ୍ଦୋରରେ ହେବାକୁ ଥିବା ତୃତୀୟ ଓ ଶେଷ ଦିନିକିଆ ମ୍ୟାଚ୍‌ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟିଛି।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୪ ରନ୍‌ ସଂଗ୍ରହ କରିଥିଲା। କେଏଲ୍‌ ରାହୁଲଙ୍କ ଲଢ଼ୁଆ ଶତକ ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା।

ଲକ୍ଷ୍ୟ ପଛୁଆ କରିବା ସମୟରେ ନ୍ୟୁଜିଲାଣ୍ଡ ୪୬ ରନ୍‌ ମଧ୍ୟରେ ଉଭୟ ଓପନର୍‌ଙ୍କୁ ହରାଇ ଚାପରେ ପଡ଼ିଥିଲା। ତଥାପି ଡାରିଲ ମିଚେଲ ଓ ୱିଲ ୟଙ୍ଗ ତୃତୀୟ ୱିକେଟ୍‌ରେ ୧୬୨ ରନ୍‌ର ଦୃଢ଼ ଭାଗୀଦାରୀ ଗଢ଼ି ଦଳକୁ ମ୍ୟାଚ୍‌ରେ ଫେରାଇ ଆଣିଥିଲେ।

ୱିଲ ୟଙ୍ଗ ୮୭ ରନ୍‌ କରି ଆଉଟ୍‌ ହେବା ପରେ ମିଚେଲ ଅପରାଜିତ ୧୩୧ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ଚତୁର୍ଥ ୱିକେଟ୍‌ରେ ଗ୍ଲେନ୍‌ ଫିଲିପ୍ସ (୩୨*)ଙ୍କ ସହ ଅବିଭାଜିତ ୭୮ ରନ୍‌ ଯୋଗ କରି ନ୍ୟୁଜିଲାଣ୍ଡକୁ ୧୫ ବଲ୍‌ ପୂର୍ବରୁ ବିଜୟ ଉପହାର ଦେଇଥିଲେ।

ସଂକ୍ଷିପ୍ତ ସ୍କୋର:

ଭାରତ – ୫୦ ଓଭରରେ ୨୮୪/୭

ନ୍ୟୁଜିଲାଣ୍ଡ – ୪୭.୩ ଓଭରରେ ୨୮୬/୩

(ଡାରିଲ ମିଚେଲ ୧୩୧*, ୱିଲ ୟଙ୍ଗ ୮୭, ଗ୍ଲେନ୍‌ ଫିଲିପ୍ସ ୩୨*)