ଅହମଦାବାଦ: ପବିତ୍ର ଉତ୍ତରାୟଣ ପର୍ବ ଅବସରରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଅହମଦାବାଦର ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସେ ଗୋ ମାତାଙ୍କୁ ମଧ୍ୟ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥିଲେ।

ପରେ ଗୃହମନ୍ତ୍ରୀ ଥଲତେଜ ଅଞ୍ଚଳସ୍ଥିତ ଗୁରୁଦ୍ୱାର ଗୋବିନ୍ଦ ଧାମକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି, ଉତ୍ତରାୟଣ ଉପଲକ୍ଷେ ଅହମଦାବାଦରେ ଆୟୋଜିତ ଗୁଡ଼ି ଉତ୍ସବରେ ମଧ୍ୟ ଅମିତ ଶାହ ଅଂଶଗ୍ରହଣ କରିଥିଲେ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଗୃହମନ୍ତ୍ରୀ କହିଛନ୍ତି, “ଜୟ ଜଗନ୍ନାଥ। ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ଉତ୍ତରାୟଣର ପବିତ୍ର ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା କରିବାର ସୌଭାଗ୍ୟ ମୋତେ ମିଳିଛି। ମହାପ୍ରଭୁଙ୍କ କୃପା ସଦା ଦେଶବାସୀଙ୍କ ଉପରେ ରହୁ।”

ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ସନାତନ ଧର୍ମରେ ଗୋ ମାତାଙ୍କ ସେବା ଓ ପୂଜାର ଗଭୀର ଗୁରୁତ୍ୱ ରହିଛି। ଉତ୍ତରାୟଣ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ଗୋ ମାତାଙ୍କୁ ପୂଜା କରି ଆତ୍ମସନ୍ତୋଷ ଲାଭ କରିଥିବା ସେ ଉଲ୍ଲେଖ କରିଛନ୍ତି।

ଏହା ସହ ଗୃହମନ୍ତ୍ରୀ ଅହମଦାବାଦର ନାରଣପୁରା ୱାର୍ଡ଼ର ଅର୍ଜୁନ ଗ୍ରୀନ୍ ଫ୍ଲାଟରେ ଆୟୋଜିତ ସର୍ବସାଧାରଣ ଗୁଡ଼ି ଉତ୍ସବରେ ଅଂଶଗ୍ରହଣ କରି ଗୁଡ଼ି ଉଡ଼ାଇ ଉତ୍ସବକୁ ଆନନ୍ଦମୟ କରିଥିଲେ।