ନୂଆଦିଲ୍ଲୀ: ଭାରତ ଆରମ୍ଭ କରିଥିବା ଅପରେସନ୍‌ ସିନ୍ଦୂର ସଫଳ ହୋଇଥିବା କଥା ଏବେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତଏବା (ଏଲ୍‌ଇଟି)ର ଜଣେ ଶୀର୍ଷ କମାଣ୍ଡର ନିଜେ ସ୍ବୀକାର କରିଛି। ଏଲ୍‌ଇଟିର ଅପରେସନାଲ କମାଣ୍ଡର ହାଫିଜ ଅବଦୁଲ ରୌଫ କହିଛି ଯେ, ଏହି ଅଭିଯାନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ପୂରାପୂରି ଧ୍ବଂସ ହୋଇଯାଇଛି।

ଆମେରିକା ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ହୋଇଥିବା ରୌଫ ଗୋଟିଏ କାର୍ଯ୍ୟକ୍ରମରେ କହିଛି ଯେ, ମେ’ ୬–୭ ତାରିଖରେ ହୋଇଥିବା ଏହି ଆକ୍ରମଣ ଅତ୍ୟନ୍ତ ଭୟଙ୍କର ଥିଲା। ଏହାର ପରିଣାମସ୍ୱରୂପ ମୁରିଦ୍‌କେରେ ଅବସ୍ଥିତ ଏଲ୍‌ଇଟିର ପ୍ରମୁଖ ଘାଟି ଓ ମୁଖ୍ୟାଳୟ ‘ମରକଜ-ଏ-ତଏବା’ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଥିଲା।

ସୂଚନା ଅନୁସାରେ, ହାଫିଜ ଅବଦୁଲ ରୌଫ ପିଓକେରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ଗୁଡ଼ିକରେ ଆତଙ୍କବାଦୀଙ୍କୁ ତାଲିମ ଦେବା କାର୍ଯ୍ୟରେ ସକ୍ରିୟ ଥିଲା। ଅପରେସନ୍‌ ସିନ୍ଦୂରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ସେ ଯୋଗ ଦେଇଥିବା ଫଟୋ ଓ ଭିଡିଓ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ଏପ୍ରିଲରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଉତ୍ତର ସ୍ୱରୂପ ଭାରତ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧସଦୃଶ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ପାକିସ୍ତାନ ଚୀନୀ ଅସ୍ତ୍ର ବ୍ୟବହାର କରିଥିବା କଥା ମଧ୍ୟ ରୌଫ ନିଜେ ସ୍ବୀକାର କରିଛି।