ଭୁବନେଶ୍ୱର:

କିଟ୍‌ ପରିସରରେ ଦୁଇଦିନ ଧରି ଚାଲିଥିବା ସାମାଜିକ ଓ ଶିକ୍ଷାଗତ ଚେସ୍‌ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ସଫଳତାର ସହ ଉଦ୍‌ଯାପିତ ହୋଇଛି। ଏହି ସମ୍ମିଳନୀକୁ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ (ଫିଡେ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦ ଉଦ୍‌ଘାଟନ କରିଥିଲେ।

ଉଦ୍‌ଯାପନୀ ଅଧିବେଶନରେ ଯୋଗଦେଇ ଫିଡେ ସଭାପତି ଆର୍କାଡି ଭୋର୍କୋଭିଚ୍‌ ଚେସ୍‌ରେ ନିୟମିତ ଅଭ୍ୟାସ ଓ ଶୃଙ୍ଖଳାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ, ଯୁବ ଖେଳାଳିମାନେ ଚେସ୍‌ରେ ସଫଳତା ପାଇବାକୁ ହେଲେ ଦିନକୁ ଅତିକମ୍‌ରେ ଚାରି ଘଣ୍ଟା ସମୟ ଦେବା ଆବଶ୍ୟକ। ଚେସ୍‌ ଧୈର୍ଯ୍ୟ, ନିଷ୍ପତ୍ତି ନେବାର କ୍ଷମତା ଓ ଦାୟିତ୍ୱବୋଧ ବୃଦ୍ଧି କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ। ସମାଜର ସମସ୍ତ ବର୍ଗରେ ଏହି ଖେଳକୁ ପହଞ୍ଚାଇବା ଆବଶ୍ୟକ, ଯାହାଦ୍ୱାରା ଚେସ୍‌ର ଲାଭ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ।

ସମ୍ମିଳନୀ ପରେ ଭୋର୍କୋଭିଚ୍‌ କିସ୍‌ କ୍ୟାମ୍ପସ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ କିସ୍‌ ପରି ଏକ ଉତ୍କୃଷ୍ଟ ଅନୁଷ୍ଠାନ ପ୍ରତିଷ୍ଠା କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ଏକ ସୁନ୍ଦର ଓ ସମୃଦ୍ଧ କ୍ୟାମ୍ପସରେ ରହି ସକାରାତ୍ମକ ଭାବେ ଆଗକୁ ବଢ଼ିବା ଦରକାର। ଚେସ୍‌କୁ ବିଦ୍ୟାଳୟସ୍ତରରୁ ଆପଣାଇବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଫିଡେ ଉପସଭାପତି ଓ ଲାଟ୍‌ଭିଆର ପୂର୍ବତନ ଅର୍ଥମନ୍ତ୍ରୀ ଦାନା ରେଜିନିସ୍‌ ନିଜର ଚେସ୍‌ ଯାତ୍ରା ସମ୍ପର୍କରେ କହିଥିଲେ। ସେ ଆଠ ବର୍ଷ ବୟସରୁ ଚେସ୍‌ ଖେଳିବା ଆରମ୍ଭ କରିଥିବା ବେଳେ ସପ୍ତାହରେ ପ୍ରାୟ ଛଅ ଦିନ ଅଭ୍ୟାସ କରୁଥିଲେ ବୋଲି ଜଣାଇଥିଲେ। ଚେସ୍‌ ତାଙ୍କୁ ଶୃଙ୍ଖଳା, ରଣନୈତିକ ଚିନ୍ତାଧାରା ଓ ମାନସିକ ସ୍ଥିରତା ଦେଇ ବୃତ୍ତିଗତ ସଫଳତାରେ ସାହାଯ୍ୟ କରିଛି ବୋଲି ସେ କହିଥିଲେ।

ଫିଡେର ଏଜୁକେସନାଲ୍‌ ଚେସ୍‌ କମିଶନ ମୁଖ୍ୟ ଜେରି ନାଶ ମତ ପ୍ରକାଶ କରି କହିଥିଲେ ଯେ, ଜୀବନର ଜଟିଳ ନିଷ୍ପତ୍ତି ନେବାରେ ଚେସ୍‌ ଏକ ଶକ୍ତିଶାଳୀ ମାଧ୍ୟମ। ଏହି ସମ୍ମିଳନୀ ଶିକ୍ଷା ବ୍ୟବସ୍ଥା ଓ ସମାଜ ମଧ୍ୟରେ ଚେସ୍‌କୁ ଅର୍ଥପୂର୍ଣ୍ଣ ଭାବେ ସ୍ଥାନ ଦେବା ପାଇଁ ବିଶ୍ୱ ଦୃଷ୍ଟିକୋଣ ପ୍ରଦାନ କରୁଛି।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଚେସ୍‌ର ବୌଦ୍ଧିକ ଓ ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଏହି ଖେଳ ମାନସିକ କ୍ଷମତାକୁ ତୀକ୍ଷଣ କରିବା ସହ ଜ୍ଞାନ-କେନ୍ଦ୍ରିକ ବୁଦ୍ଧିମତ୍ତାର ବିକାଶ କରେ। ଶିକ୍ଷା, ସାମାଜିକ ଅନ୍ତର୍ଭୁକ୍ତି ଓ ଉନ୍ନତି ପାଇଁ ଚେସ୍‌କୁ ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ଦେବାରେ କିଟ୍‌ର ପ୍ରତିବଦ୍ଧତାକୁ ସେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।