ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରୁ ଦେଶର ଟୋଲ୍ ଗେଟ୍ଗୁଡ଼ିକରେ ନଗଦ ଟଙ୍କାରେ ଟୋଲ୍ ପେମେଣ୍ଟ୍ କରିବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ। ଟୋଲ୍ ବୁଥ୍ରେ ଗାଡ଼ି ଅଟକି ରହିବାକୁ ରୋକିବା ଓ ଯାତାୟାତକୁ ସୁଚାଳୁ କରିବା ଲକ୍ଷ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଉପରେ ବିଚାର କରୁଛି। ଯଦିଓ ଏନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ସରକାରଙ୍କ ଯୋଜନା ଅନୁସାରେ, ଟୋଲ୍ ପ୍ଲାଜାରେ ଗାଡ଼ିଗୁଡ଼ିକ ନିରବଚ୍ଛିନ୍ନ ଭାବେ ଅତିକ୍ରମ କରିବେ ଏବଂ ଟୋଲ୍ ଦେବା ପାଇଁ କୌଣସି ଗାଡ଼ି ଅଟକିବ ନାହିଁ। ଏହା ଫଳରେ ଦେଶର କୌଣସି ଟୋଲ୍ ଗେଟ୍ରେ ଆଉ ଲମ୍ବା ଧାଡ଼ି କିମ୍ବା ଭିଡ଼ ଦେଖିବାକୁ ମିଳିବ ନାହିଁ।
ଆଗାମୀ ଦିନରେ ଟୋଲ୍ ପେମେଣ୍ଟ୍ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ହୋଇଯିବ। ଗାଡ଼ି ବୁଥ୍ ଅତିକ୍ରମ କରିବା ସମୟରେ ସେଠାରେ ସ୍ଥାପିତ କ୍ୟାମେରା ଓ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ଟୋଲ୍ ଶୁଳ୍କ ସିଧାସଳଖ ଫାସ୍ଟ୍ୟାଗ୍ ଆକାଉଣ୍ଟ୍ରୁ କଟିଯିବ। ସରକାର ଏଥିପାଇଁ ଉପଗ୍ରହ ଆଧାରିତ ପ୍ରଯୁକ୍ତି ବ୍ୟବହାର କରିବା ବିକଳ୍ପକୁ ମଧ୍ୟ ଆଲୋଚନା କରୁଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେଲେ ଟୋଲ୍ ଶୁଳ୍କ କେବଳ ଫାସ୍ଟ୍ୟାଗ୍ ମାଧ୍ୟମରେ ହିଁ ଆଦାୟ ହେବ।
ଏପ୍ରିଲରୁ ଏହି ନିୟମ କାର୍ଯ୍ୟକାରୀ ହେଲେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଗାଡ଼ି ଚାଳକମାନଙ୍କୁ ଫାସ୍ଟ୍ୟାଗ୍ ଆକାଉଣ୍ଟ୍ରେ ସର୍ବଦା ପର୍ଯ୍ୟାପ୍ତ ବାଲାନ୍ସ ରଖିବାକୁ ପଡ଼ିବ।
ସରକାରଙ୍କ ମତରେ, ଗାଡ଼ି ଅଟକି ନ ରହିଲେ ଇନ୍ଧନର ଅପଚୟ କମିବ ଏବଂ ପରିବେଶ ଦୂଷଣ ମଧ୍ୟ ହ୍ରାସ ପାଇବ। ଡିଜିଟାଲ୍ ପେମେଣ୍ଟ୍ ମାଧ୍ୟମରେ ଟୋଲ୍ ଆଦାୟ ହେଲେ ସ୍ପଷ୍ଟ ଓ ସ୍ୱଚ୍ଛ ରେକର୍ଡ ରହିବା ସହ ଆଦାୟ ପ୍ରଣାଳୀ ଅଧିକ ପାରଦର୍ଶୀ ହେବ। ଏହା ସରକାରଙ୍କ ପ୍ରସ୍ତାବିତ ‘ମଲ୍ଟି-ଲେନ୍ ଫ୍ରି ଫ୍ଲୋ’ (MLFF) ବ୍ୟବସ୍ଥାର ଏକ ଅଂଶ। ବିଶ୍ୱସ୍ତରୀୟ ପ୍ରଯୁକ୍ତି ଆଧାରିତ ଏହି ବ୍ୟବସ୍ଥାକୁ ଦେଶର ୨୫ଟି ଟୋଲ୍ ପ୍ଲାଜାରେ ପୂର୍ବରୁ ପରୀକ୍ଷଣ କରାଯାଇଛି।





