ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ଗଠିତ ସଂସଦୀୟ ତଦନ୍ତ କମିଟିର ବୈଧତାକୁ ନେଇ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଏସ୍ସି ଶର୍ମାଙ୍କ ନେତୃତ୍ୱରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାରେ ରାୟ ଦେଇ ଜଷ୍ଟିସ୍ ବର୍ମାଙ୍କ ଅନୁରୋଧକୁ ଅସ୍ୱୀକୃତ କରିଦେଇଛନ୍ତି।
ଏହା ପୂର୍ବରୁ ଜଷ୍ଟିସ୍ ବର୍ମାଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ମୁକୁଲ ରୋହତଗୀ ଓ ସିଦ୍ଧାର୍ଥ ଲୁଥ୍ରା ମାମଲା ଉପସ୍ଥାପନ କରିଥିବା ବେଳେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଯୁକ୍ତି ରଖିଥିଲେ। ଶୁଣାଣି ସମାପ୍ତ ପରେ ସୁପ୍ରିମ୍କୋର୍ଟ ଜାନୁଆରି ୮ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।
ଶୁଣାଣି ସମୟରେ ଜଷ୍ଟିସ୍ ବର୍ମାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଜଜ୍ (ତଦନ୍ତ) ଅଧିନିୟମ–୧୯୬୮ ଅନୁଯାୟୀ ବିଚାରପତିଙ୍କୁ ପଦଚ୍ୟୁତ କରିବା ସମ୍ପର୍କିତ ପ୍ରସ୍ତାବ କେବଳ ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କ ମାଧ୍ୟମରେ ଗ୍ରହଣ କରାଯାଇପାରିବ। ଉଚିତ ପ୍ରକ୍ରିୟା ଅନୁସରଣ ନହେବା ସହ ଉଭୟ ସଦନରେ ଏକାଦିନରେ ପ୍ରସ୍ତାବ ପାରିତ ହୋଇନଥିବା ଦାବି କରି ସେ ମହାଭିଯୋଗ ପ୍ରକ୍ରିୟାକୁ ବିରୋଧ କରିଥିଲେ। ଏହାସହ ଲୋକସଭା ଦ୍ୱାରା ଗଠିତ ତିନିଜଣିଆ ତଦନ୍ତ କମିଟିର ବୈଧତାକୁ ମଧ୍ୟ ସେ ଆପତ୍ତି କରିଥିଲେ।
ଉଲ୍ଲେଖନୀୟ ଯେ, ତିନିଜଣିଆ ତଦନ୍ତ କମିଟି ୫୫ରୁ ଅଧିକ ସାକ୍ଷୀଙ୍କୁ ପଚାରାଉଚରା କରିବା ପରେ ଜଷ୍ଟିସ୍ ବର୍ମାଙ୍କ ବାସଭବନରୁ ମିଳିଥିବା ବିପୁଳ ପରିମାଣର ନଗଦ ଟଙ୍କା ସମ୍ପର୍କିତ ମାମଲାରେ ତାଙ୍କୁ ପଦରୁ ହଟାଇବାକୁ ସୁପାରିଶ କରିଥିଲା। ୬୪ ପୃଷ୍ଠାର ରିପୋର୍ଟରେ କମିଟି ଜଷ୍ଟିସ୍ ବର୍ମାଙ୍କୁ ଦୋଷୀ ଠହରାଇଥିବା ବେଳେ, ୩୦ ତୋଗଲକ୍ କ୍ରିସେଣ୍ଟର ଷ୍ଟୋର୍ ରୁମରୁ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ସେ ଯଥୋଚିତ ସ୍ପଷ୍ଟୀକରଣ ଦେଇପାରିନଥିବା ଉଲ୍ଲେଖ କରାଯାଇଛି।
ତଥାପି ଜଷ୍ଟିସ୍ ବର୍ମା ଏହି ସମଗ୍ର ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ଆସୁଥିବା ବେଳେ, ସେ କୌଣସି ଭୁଲ୍ କିମ୍ବା ଅପରାଧ କରିନାହାନ୍ତି ବୋଲି ପୁନର୍ବାର ସ୍ପଷ୍ଟ କରିଛନ୍ତି।





