ନୂଆଦିଲ୍ଲୀ: ଭାରତର ଆର୍ଥିକ ଯାତ୍ରା ଏକ ନୂଆ ମୁହାଁରେ ପହଞ୍ଚିବାକୁ ଯାଉଛି। ଦୀର୍ଘ ୬ ଦଶନ୍ଧୀର ପରିଶ୍ରମ ପରେ ଗରିବ ଦେଶରୁ ନିମ୍ନ ମଧ୍ୟବିତ୍ତ ଦେଶ ଭାବେ ପରିଚୟ ହାସଲ କରିଥିବା ଭାରତ, ଆସନ୍ତା ମାତ୍ର ଚାରି ବର୍ଷ ମଧ୍ୟରେ ଉଚ୍ଚ ମଧ୍ୟବିତ୍ତ ରାଷ୍ଟ୍ରର ଶ୍ରେଣୀକୁ ଉନ୍ନତି କରିବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ସକାରାତ୍ମକ ଆକଳନ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତ ଉଚ୍ଚ ମଧ୍ୟବିତ୍ତ ଆୟକାରୀ ଦେଶ ଭାବେ ପରିଗଣିତ ହେବ। ଏହି ସ୍ତରରେ ପହଞ୍ଚିଲେ ଭାରତ ଆୟକାରୀ ଦେଶର ଶ୍ରେଣୀରେ ଚୀନ୍‌ ଓ ଇଣ୍ଡୋନେସିଆ ସହ ସମକକ୍ଷ ହୋଇଯିବ।

ରିପୋର୍ଟରେ ଦର୍ଶାଯାଇଛି ଯେ, ୧୯୬୨ ମସିହାରେ ଭାରତୀୟଙ୍କ ମୁଣ୍ଡପିଛା ଆୟ କେବଳ ୯୦ ଡଲାର ଥିଲା। ଦୀର୍ଘ ସମୟର ଆର୍ଥିକ ସଂଘର୍ଷ ପରେ ୨୦୦୭ରେ ଏହା ୯୧୦ ଡଲାରକୁ ବୃଦ୍ଧି ପାଇଥିଲା, ଯାହା ସହ ଭାରତ ନିମ୍ନ ମଧ୍ୟବିତ୍ତ ଦେଶ ଭାବେ ପରିଗଣିତ ହୋଇଥିଲା। ବର୍ତ୍ତମାନ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଜାରି ରହିଲେ ୨୦୩୦ ସୁଦ୍ଧା ମୁଣ୍ଡପିଛା ଆୟ ୪,୦୦୦ ଡଲାରକୁ ପହଞ୍ଚିବା ଆଶା କରାଯାଉଛି।

ସ୍ବାଧୀନତା ପରେ ଦୀର୍ଘ ୬ ଦଶନ୍ଧୀ ପରେ, ୨୦୦୭ରେ ଭାରତୀୟ ଅର୍ଥନୀତି ପ୍ରଥମ ଥର ପାଇଁ ୧ ଟ୍ରିଲିଅନ୍‌ ଡଲାର ସୀମା ଛୁଇଁଥିଲା। ତାହାପରେ ଅର୍ଥନୀତିର ଗତି ଦ୍ରୁତ ହେବାରୁ ୨୦୧୪ରେ ୨ ଟ୍ରିଲିଅନ୍‌, ୨୦୨୧ରେ ୩ ଟ୍ରିଲିଅନ୍‌ ଡଲାର ସ୍ତରକୁ ପହଞ୍ଚିଥିଲା। ଆକଳନ ଅନୁଯାୟୀ, ୨୦୨୫ରେ ଭାରତ ୪ ଟ୍ରିଲିଅନ୍‌ ଡଲାରର ଅର୍ଥନୀତି ହେବା ସହ ଆଉ ଦୁଇ ବର୍ଷ ମଧ୍ୟରେ ୫ ଟ୍ରିଲିଅନ୍‌ ଡଲାର ସୀମା ଛୁଇଁପାରେ।

ସେହିପରି, ୨୦୦୯ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୧,୦୦୦ ଡଲାର ଥିବାବେଳେ, ଦଶ ବର୍ଷ ମଧ୍ୟରେ ୨୦୧୯ରେ ଏହା ୨,୦୦୦ ଡଲାରକୁ ବୃଦ୍ଧି ପାଇଥିଲା। ଆଗାମୀ ଦିନରେ ଅର୍ଥନୀତିର ସ୍ଥିର ବିକାଶ ଜାରି ରହିଲେ, ୨୦୩୬ ସୁଦ୍ଧା ମୁଣ୍ଡପିଛା ଆୟ ୩,୦୦୦ ଡଲାର ଛୁଇଁବା ଆଶା କରାଯାଉଛି।