ଦୁବାଇ: ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପ୍କୁ ନେଇ ବିଶ୍ବ କ୍ରିକେଟ୍ରେ ରାଜନୈତିକ ଓ କୂଟନୈତିକ ସମୀକରଣ ଦ୍ରୁତ ଗତିରେ ବଦଳୁଥିବା ଦେଖାଯାଉଛି। ଏହି କ୍ରମରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହଠାତ୍ ନିକଟତା ବୃଦ୍ଧି ପାଇବା ଏବଂ ଏହାର ପ୍ରଭାବ ବିଶ୍ବକପ୍ ସୂଚୀ ଓ ଆୟୋଜନ ଉପରେ ପଡ଼ିପାରେ ବୋଲି ଆଲୋଚନା ଆରମ୍ଭ ହୋଇଛି।
ଭାରତର ସମର୍ଥନ ଓ ପୃଷ୍ଠପୋଷକତାରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ସ୍ଥାନ ସୁଦୃଢ଼ କରିଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ସହ ସମ୍ପର୍କ ଅଧିକ ଘନିଷ୍ଠ କରୁଥିବା ଖବର ମିଳୁଛି। ସୂଚନା ଅନୁଯାୟୀ, ଟି-୨୦ ବିଶ୍ବକପ୍ ସୂଚୀରେ ପରିବର୍ତ୍ତନ ଦାବି କରିବାକୁ BCB, PCB ସହ ମିଶି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଉପରେ ଚାପ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିଛି।
ଏହି ମାମଲାରେ ପାକିସ୍ତାନ ପକ୍ଷରୁ ବାଂଲାଦେଶକୁ ନୈତିକ ସମର୍ଥନ ଦେବା ସହ ଭାରତକୁ ଆଲଗା କରିବା ଉଦ୍ଦେଶ୍ୟରେ ଏକ ନୂଆ କୌଶଳ ଅପନାଇଥିବା ଚର୍ଚ୍ଚା ଚାଲିଛି। ଏପରିକି, ଅନଔପଚାରିକ ଭାବେ ପାକିସ୍ତାନ ଟି-୨୦ ବିଶ୍ବକପ୍ରୁ ଓହରିଯିବା ବିକଳ୍ପକୁ ମଧ୍ୟ ଚିନ୍ତା କରୁଥିବା ଖବର ସାମ୍ନାକୁ ଆସିଛି। ଏହା ସହ BCB ଓ ICC ମଧ୍ୟରେ ଚାଲିଥିବା ଟଣାଓଟଣି ମାମଲା ଏକ ନୂଆ ମୋଡ଼ ନେଇଛି।
ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ ପାକିସ୍ତାନ ସରକାର ବାଂଲାଦେଶର କାମଚଳା ମହମ୍ମଦ ୟୁନୁସ ସରକାର ସହ ମଧ୍ୟ ଯୋଗାଯୋଗ କରିଥିବା ଜଣାପଡ଼ିଛି। ଲକ୍ଷ୍ୟ ହେଉଛି ICC ଏବଂ BCCI ଉପରେ କୂଟନୈତିକ ଚାପ ବଢ଼ାଇବା। ସୂଚନା ମୁତାବକ, ଏହି ପଦକ୍ଷେପ ପ୍ରତି ୟୁନୁସ ସରକାର ସକାରାତ୍ମକ ମନୋଭାବ ଦେଖାଇଛନ୍ତି।
BCBର ଜଣେ ଅଧିକାରୀଙ୍କ କହିବାନୁସାରେ, ଯଦି ICC ବାଂଲାଦେଶର ଦାବିକୁ ଗୁରୁତ୍ୱ ନଦିଏ, ତେବେ ପାକିସ୍ତାନ ମଧ୍ୟ ବିଶ୍ବକପ୍ରେ ଅଂଶଗ୍ରହଣ ନେଇ ପୁନର୍ବିଚାର କରିବାକୁ ପ୍ରସ୍ତୁତ ରହିଛି।
ଏହା ସହିତ, ICC ଚଳିତ ମାସ ୨୧ ତାରିଖ ସୁଦ୍ଧା ଭାରତ ଗସ୍ତ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ଘୋଷଣା କରିବାକୁ BCBକୁ ଚରମବାଣୀ ଦେଇଛି। ଯଦି ବାଂଲାଦେଶ ଦଳ ପଠାଇବାରୁ ପଛୁଆ ହୁଏ, ତେବେ ICC ଅନ୍ୟ କୌଣସି ଦଳକୁ ସାମିଲ କରି ବିଶ୍ବକପ୍ ଆୟୋଜନ କରିବାକୁ ନୀତିଗତ ଭାବେ ପ୍ରସ୍ତୁତ ଥିବା ଜଣାଇଛି।





