ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣିଥରେ ଦୁର୍ବଳ ହୋଇ ୯୧ ଟଙ୍କା ସ୍ତର ଉପରକୁ ଖସିଛି। ସୋମବାର ମୁଦ୍ରା ବିନିମୟ ବଜାରରେ ଗୋଟିଏ ଡଲାରର ମୂଲ୍ୟ ୯୧ ଟଙ୍କା ୧ ପଇସା ପର୍ଯ୍ୟନ୍ତ ପହଞ୍ଚିଥିଲା, ଯାହା ଟଙ୍କାର ଦୁର୍ବଳତାକୁ ସ୍ପଷ୍ଟ କରୁଛି। ଯଦିଓ ବ୍ୟବସାୟ ଶେଷବେଳକୁ ଡଲାର ମୂଲ୍ୟ ସାମାନ୍ୟ ସୁଧାର ସହ ୯୦ ଟଙ୍କା ୯୨ ପଇସାରେ ବନ୍ଦ ହୋଇଥିଲା।

ଡଲାର ମହଙ୍ଗା ହେବାର ପ୍ରଭାବରେ ଆମଦାନୀ ବ୍ୟୟ ବୃଦ୍ଧି ପାଉଥିବା ସହ ବିଦେଶ ଭ୍ରମଣ ଓ ବିଦେଶରେ ଶିକ୍ଷା ଗ୍ରହଣ ଅଧିକ ମହଙ୍ଗା ହେବାର ଆଶଙ୍କା ରହିଛି। ବଜାର ବିଶେଷଜ୍ଞମାନଙ୍କ ମତରେ, ବିଦେଶୀ ପ୍ରତିଷ୍ଠାନଗତ ନିବେଶକମାନେ ଲଗାତାର ଭାବେ ଭାରତୀୟ ଇକ୍ବିଟି ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ବଢ଼ିଛି।

ଏହା ପୂର୍ବରୁ ୨୦୨୫ ଡିସେମ୍ବର ୧୬ରେ ଡଲାର ମୂଲ୍ୟ ୯୧ ଟଙ୍କା ୧୪ ପଇସା ପର୍ଯ୍ୟନ୍ତ ଯାଇଥିଲା। କିଛି ଦିନ ପାଇଁ ଟଙ୍କାରେ ସୁଧାର ଦେଖାଦେଇଥିଲେ ମଧ୍ୟ, ଗ୍ଲୋବାଲ୍‌ ଅନିଶ୍ଚିତତା ପୁଣିଥରେ ମୁଦ୍ରା ବଜାରକୁ ଅସ୍ଥିର କରିଛି।

ଗ୍ରିନଲ୍ୟାଣ୍ଡ ସମ୍ପର୍କିତ ମାମଲାକୁ ନେଇ ୟୁରୋପର ୧୦ଟି ଦେଶ ଉପରେ ଶୁଳ୍କ ଲାଗୁ କରିବା ସମ୍ଭାବନା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଧମକ ପରେ ବିଶ୍ୱ ବଜାରରେ ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଇକ୍ବିଟି ବଜାର ତଳକୁ ଖସୁଥିବାବେଳେ ଟଙ୍କା ମୂଲ୍ୟ ଉପରେ ଅଧିକ ଚାପ ପଡ଼ିଛି।

ତଥାପି, ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କମିବା ଏବଂ ଅଶୋଧିତ ତେଲ ଦର ହ୍ରାସ ପାଇବାରୁ ଟଙ୍କାକୁ କିଛି ପରିମାଣର ସମର୍ଥନ ମିଳିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ ୬୩.୫୩ ଡଲାର ରହିଛି।

ଷ୍ଟକ୍ ବଜାରରେ ମଧ୍ୟ ଦୁର୍ବଳତା ଦେଖାଯାଇଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୩୨୪ ପଏଣ୍ଟ ହ୍ରାସ ପାଇ ୮୩,୨୩୬ ପଏଣ୍ଟରେ ବନ୍ଦ ହୋଇଥିବାବେଳେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୦୮ ପଏଣ୍ଟ ଖସି ୨୫,୫୮୫ ପଏଣ୍ଟରେ ପହଞ୍ଚିଛି। ଗତ ଶୁକ୍ରବାର ବିଦେଶୀ ନିବେଶକମାନେ ୪,୩୪୬.୧୩ କୋଟି ଟଙ୍କାର ଭାରତୀୟ ଇକ୍ବିଟି ସେୟାର ବିକ୍ରି କରିଥିବା ସୂଚନା ମିଳିଛି।