ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ଉଦ୍ଭବିତ ଚାପ ଓ ଅସନ୍ତୋଷ ପ୍ରତି ନିର୍ବାଚନ କମିସନ ସଚେତନ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ‘ତାର୍କିକ ଅସଙ୍ଗତି’ ବର୍ଗରେ ନୋଟିସ୍ ପାଇଥିବା ପ୍ରାୟ ୧.୨୫ କୋଟି ଭୋଟରଙ୍କ ନାମ ସାର୍ବଜନୀନ କରିବା ସହ ଯାଞ୍ଚ ପ୍ରକ୍ରିୟା ସ୍ପଷ୍ଟ ଓ ସ୍ବଚ୍ଛ ଭାବେ କରାଯିବାକୁ ଆଜି ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ନିର୍ବାଚନ କମିସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ‘ତାର୍କିକ ଅସଙ୍ଗତି’ ବର୍ଗରେ ଥିବା ଭୋଟରଙ୍କ ତାଲିକା ଗ୍ରାମ ପଞ୍ଚାୟତ, ବ୍ଲକ୍ କାର୍ଯ୍ୟାଳୟ ଓ ୱାର୍ଡ କାର୍ଯ୍ୟାଳୟରେ ପ୍ରଦର୍ଶିତ କରାଯିବା ଉଚିତ। ଏହା ସହ ନୋଟିସ୍ ପାଇଥିବା ଲୋକମାନଙ୍କୁ ଦସ୍ତାବିଜ୍ ଦାଖଲ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବାକୁ ମଧ୍ୟ କୋର୍ଟ ଉଲ୍ଲେଖ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ, ଶୁଣାଣି ସମୟରେ ଆବଶ୍ୟକ ମାନବସମ୍ବଳ ନିୟୋଜନ କରାଯିବା ସହ ସ୍ଥାନୀୟ କର୍ତ୍ତୃପକ୍ଷ ଦ୍ୱାରା ଦାଖଲ ହୋଇଥିବା ଦସ୍ତାବିଜ୍ର ରସିଦ୍ ଦେବା ଆବଶ୍ୟକ। ନୋଟିସ୍ ପାଇଥିବା ପ୍ରତ୍ୟେକ ଭୋଟରଙ୍କ ଅଭିଯୋଗ ଉପରେ ନିଆଯାଇଥିବା ଚୂଡ଼ାନ୍ତ ନିଷ୍ପତ୍ତି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ମଧ୍ୟ ଖଣ୍ଡପୀଠର ସଦସ୍ୟ ଥିଲେ। ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ’ବ୍ରାଏନଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ୍ ସିବଲ କୋର୍ଟକୁ ଅବଗତ କରାଇଥିଲେ ଯେ, ବୟସ ଭିନ୍ନତାକୁ ନେଇ ଅନେକ ଭୋଟରଙ୍କୁ ‘ତାର୍କିକ ଅସଙ୍ଗତି’ ଶ୍ରେଣୀରେ ନୋଟିସ୍ ଦିଆଯାଇଛି। ଅନ୍ୟପକ୍ଷେ ନିର୍ବାଚନ କମିସନଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ କହିଥିଲେ ଯେ, କିଛି ମାମଲାରେ ପିତାମାତା ଓ ସନ୍ତାନଙ୍କ ମଧ୍ୟରେ ୧୫ ବର୍ଷର ବୟସ ପାର୍ଥକ୍ୟ ଦେଖାଯାଇଛି।
ଏହାକୁ ନେଇ ଜଷ୍ଟିସ ବାଗ୍ଚୀ ପ୍ରଶ୍ନ ଉଠାଇ କହିଥିଲେ ଯେ, ମା’ ଓ ପୁଅ ମଧ୍ୟରେ ୧୫ ବର୍ଷର ବୟସ ଭିନ୍ନତା କିପରି ‘ତାର୍କିକ ଅସଙ୍ଗତି’ ହୋଇପାରେ। ଏହି ଦେଶରେ ବାଲ୍ୟବିବାହ ଏକ ବାସ୍ତବତା ଥିବାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ବର୍ଗରେ ନୋଟିସ୍ ପାଇଥିବା ଲୋକମାନଙ୍କ ମଧ୍ୟରେ ଅର୍ଥନୀତିଜ୍ଞ ଓ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ମଧ୍ୟ ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ କମିସନ ଭୋଟରମାନଙ୍କୁ ‘ମ୍ୟାପ୍ଡ୍’, ‘ଅନ୍ମ୍ୟାପ୍ଡ୍’ ଓ ‘ତାର୍କିକ ଅସଙ୍ଗତି’—ଏହି ତିନୋଟି ବର୍ଗରେ ବିଭକ୍ତ କରି ନୋଟିସ୍ ଜାରି କରିଛନ୍ତି। ‘ମ୍ୟାପ୍ଡ୍’ ବର୍ଗରେ ଥିବା ଭୋଟରଙ୍କ ରେକର୍ଡ ମେଳ ଖାଇଥିଲେ ମଧ୍ୟ ଅଧିକ ଯାଞ୍ଚ ଆବଶ୍ୟକ, ‘ଅନ୍ମ୍ୟାପ୍ଡ୍’ ବର୍ଗରେ ରେକର୍ଡ ଯୋଡ଼ା ହୋଇନଥିବା ଭୋଟର ଅଛନ୍ତି ଏବଂ ‘ତାର୍କିକ ଅସଙ୍ଗତି’ ବର୍ଗରେ ନାମ, ବନାନ, ପିତାମାତାଙ୍କ ତଥ୍ୟ ଓ ବୟସ ଭିନ୍ନତା ସମ୍ପର୍କିତ ଅସଙ୍ଗତି ଥିବା ମାମଲା ରହିଛି।





